ହାତୀ ଆକ୍ରମଣରେ ୫୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ:
କ୍ଷତିପୂରଣ ଦାବୀରେ ଗାଁଲୋକଙ୍କ ରାସ୍ତା ଅବରୋଧ
ବାରିପଦା:୦୩/୦୩/୨୬:ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ୍ ଅନ୍ତର୍ଗତ ଦିଗାରୀ ଅସ୍ତିଆ ଗାଁରେ ହାତୀ ଆକ୍ରମଣରେ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ବଂଶୀଧର ଗିରୀ ବୋଲି ଜଣାପଡିଛି।ଆଜି ପ୍ରାତଃ ୫.୩୦ ଘଣ୍ଟା ସମୟରେ ବଂଶୀଧର ଗିରୀ ନିଜ ଚାଷଜମିକୁ ଯାଇଥିବାବେଳେ ଏକ ଜଙ୍ଗଲୀ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦିଗାରୀଅସ୍ତିଆ, ଚଣାବାଡିଆ, ପାଟ୍ସିଳା, ଅକର୍ଶିଳା ସହିତ ପାଖାପାଖି ଅନେକ ଗାଁରେ ପ୍ରାୟ ଚାରିରୁ ପାଞ୍ଚ ବର୍ଷ ଧରି ହାତୀପଲ ରହି ଚାଷଜମି ଓ ଫସଲ ନଷ୍ଟ କରୁଛନ୍ତି। ଏହାସତ୍ତ୍ୱେ ପ୍ରଶାସନ ପକ୍ଷରୁ ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ଉଠାଇଛନ୍ତି ଅଞ୍ଚଳବାସୀ।ଘଟଣାକୁ ନେଇ ଗାଁଲୋକ ରାସ୍ତା ଅବରୋଧ କରି ତୀବ୍ର ପ୍ରତିବାଦ କରିଥିଲେ। ମୃତକଙ୍କ ପରିବାର ପାଇଁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ଫସଲ ନଷ୍ଟର ଯଥାଯଥ କ୍ଷତିପୂରଣ ଏବଂ ଅଞ୍ଚଳରୁ ହାତୀମାନଙ୍କୁ ଘଉଡ଼ାଇବା ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବୀ କରିଛନ୍ତି।
ବୁଢ଼ାବଳଙ୍ଗ ନଦୀ ପାର୍ଶ୍ୱରେ ଓ ହଳଦୀବଣୀ ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ନିକଟରେ ଅବସ୍ଥିତ ଥିବା ସତ୍ତ୍ୱେ, ଫରେଷ୍ଟ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୁଢ଼ାବଳଙ୍ଗ ନଦୀର ଏପଟ ଓ ସେପଟ ଲୋକମାନେ ପଲ ପଲ ହାତୀମାନଙ୍କୁ ଘଉଡାଇବା ଚେଷ୍ଟା କରୁଥିବାରୁ ସମସ୍ୟା ଦୀର୍ଘଦିନ ଧରି ଜାରି ରହିଛି। ଘଟଣାସ୍ଥଳରେ ବାରିପଦା ଡି.ଏଫ୍.ଓ ତାଙ୍କର ଟିମ୍ ସହ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରଚେଷ୍ଟା ଜାରି ରଖିଥିବା ଦେଖିବାକୁ ମିଳିଛି।
ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମ୍ଭାଳିବା ସହ ଲୋକମାନଙ୍କୁ ଆଶ୍ୱାସନ ଦିଆଯାଇଛି। ଏହା ସମ୍ପର୍କରେ କ୍ଷୟକ୍ଷତିର ଆକଳନ କରିବା ସହିତ ଅଧିକ ତଦନ୍ତ ଜାରି ରହିଛି।
