ସାହିତ୍ଯ ପରିଷଦ ଓ ପାଲାଗାୟକ ପରିଷଦର ପୂଜ୍ଯ ପୂଜା ସମାରୋହ
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ଶାଖାର ମିଳିତ ଆନୁକୂଲ୍ଯରେ ଏକ ପୂଜ୍ଯ ପୂଜା ସମାରୋହ ଢେଙ୍କାନାଳ ସହରସ୍ଥିତ ଶ୍ରୀଦଧିବାମନ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି । ଉତ୍କଳର ଅନ୍ୟତମ ବରପୁତ୍ର ତଥା ସତ୍ଯବାଦୀ ପଞ୍ଚସଖା ଯୁଗର ସ୍ବନାମଧନ୍ଯ ବିନ୍ଧାଣୀ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମ ଦିବସ ଏବଂ ନିକଟରେ ପରଲୋକଗତ ଗାୟକ ରତ୍ନ ପଣ୍ଡିତ ଚରଣ ସ୍ବାଇଁ ଓ ଗାୟକ ଶେଖର ପଦ୍ମଶ୍ରୀ ଜଗନ୍ନାଥ ବେହେରାଙ୍କ ଉଦ୍ଦେଶ୍ଯରେ ଅନୁଷ୍ଠିତ ଏହି ପୂଜ୍ଯ ପୂଜା ଉତ୍ସବରେ ସଭାପତିତ୍ବ କରିଥିଲେ ବିଶିଷ୍ଟ ସାହିତ୍ୟିକ ତଥା ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଏବଂ ମୁଖ୍ଯ ବକ୍ତା ଭାବରେ ଯୋଗ ଦେଇଥିଲେ ଢେଙ୍କାନାଳ ପାଲାଗାୟକ ପରିଷଦର ସମ୍ପାଦକ ଡ. ଧର୍ମାନନ୍ଦ ପୃଷ୍ଟି । ସାହିତ୍ଯ ପରିଷଦର ଜିଲ୍ଲା କାର୍ଯ୍ଯକାରିଣୀ ସଦସ୍ଯ ଇଂ ଲଳିତ ମୋହନ ବେହେରା ମଞ୍ଚ ପରିଚାଳନା କରିଥିଲା ବେଳେ ଜିଲ୍ଲା ସମ୍ପାଦକ ପ୍ରମୋଦ କୁମାର ପରିଡ଼ା ଉତ୍ସବର କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ । ଉତ୍ସବର ପ୍ରାରମ୍ଭରେ ଉପସ୍ଥିତ ଅତିଥି ଓ ସଦସ୍ଯମାନେ ବରପୁତ୍ରମାନଙ୍କ ପଟ୍ଟଚିତ୍ରରେ ପୁଷ୍ପାର୍ଘ୍ଯ ପ୍ରଦାନ ସହ ଦୀପ ଓ ଧୂପ ପ୍ରଜ୍ଜ୍ଵଳନ କରିଥିଲେ । ସାହିତ୍ଯ ପରିଷଦର ଢେଙ୍କାନାଳ ଜିଲ୍ଲା ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ପାଲାଗାୟକ ଡକ୍ଟର ଦୁର୍ଗା ମାଧବ ପୃଷ୍ଟି ସ୍ତୋତ୍ର ପାଠ କରିବା ସହ ଦିବଂଗତ ଗାୟକ ସ୍ବର୍ଗତ ସ୍ଵାଇଁ ଓ ଗାୟକ ସ୍ବର୍ଗତ ବେହେରାଙ୍କ ସହିତ ନିଜର ଅନୁଭୂତିକୁ ବର୍ଣ୍ଣନା କରିଥିଲେ ଏବଂ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୀବନ ଚରିତ ଓ ସାହିତ୍ଯ କୃତି ଉପରେ ସାରଗର୍ଭକ ବକ୍ତବ୍ଯ ପ୍ରଦାନ କରିଥିଲେ । ଉପସ୍ଥିତ ସଦସ୍ଯମାନେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ । ଗୀତିକବି ରାମଚନ୍ଦ୍ର ମହାଳିକ ଓ କବିଜ୍ଯୋତି ନିରଞ୍ଜନ ପତି ସ୍ବରଚିତ କବିତା ପାଠ ପୂର୍ବକ ଦିବଂଗତ ବରେଣ୍ଯ ସାଧକମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବରିଷ୍ଠ ପାଲାଗାୟକ ପଦ୍ମନାଭ ଜେନା, କୁଳମଣି ବେହେରା, ଦିଲ୍ଲୀପ କୁମାର ରାଜ, ପ୍ରଶାନ୍ତ କୁମାର ବେହେରା, ଆଦିତ୍ଯ କୁମାର ବେହେରା ଓ ସତ୍ଯାନନ୍ଦ ବେହେରା ପରଲୋକଗତ ପାଲାଗାୟକମାନଙ୍କ ସହିତ ନିଜର ଅନୁଭୂତି ବର୍ଣ୍ଣନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ବରିଷ୍ଠ ପାଲାପ୍ରେମୀ ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, ଲଳିତ ମୋହନ ବେହେରା, ପ୍ରମୋଦ କୁମାର ପରିଡ଼ା, ନିର୍ମଳା ମହାପାତ୍ର ଓ ମନୋରମା ସିଂହ ପ୍ରମୁଖ ବରପୁତ୍ରମାନଙ୍କ ଉଦ୍ଦେଶ୍ଯରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୁଖ୍ଯ ବକ୍ତା ଡ. ଧର୍ମାନନ୍ଦ ପୃଷ୍ଟି ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ସଂକ୍ଷିପ୍ତ ଜୀବନୀ ଓ ପାଲା ପରିବେଷଣ ଶୈଳୀ ସମ୍ପର୍କରେ ଆଲୋକପାତ କରିବା ସହ ସେ ପାଲାରେ ଆଣିଥିବା ସଂସ୍କାର ଓ ପରିବର୍ତ୍ତନ ବିଷୟରେ ସୂଚନା ପ୍ରଦାନ କରିଥିଲେ । ସବୁଠାରୁ ଗୌରବର ବିଷୟ ଥିଲା, ଢେଙ୍କାନାଳ ଜିଲ୍ଲାର ଗେଙ୍ଗୁଟିଆ ପାଲାମଞ୍ଚ ଗାୟକ ଶ୍ରୀଯୁକ୍ତ ବେହେରାଙ୍କୁ ଉତ୍କର୍ଷତାର ଚରମ ସୀମାରେ ପହଞ୍ଚାଇ ଥିଲା । ସଭାପତି ଶ୍ରୀଯୁକ୍ତ ପରେଶ ଚନ୍ଦ୍ର ପଟ୍ଟନାୟକ ମହାନ୍ ଆତ୍ମାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସେମାନଙ୍କର ବିବିଧ କୃତି ବିଷୟରେ ସାରଗର୍ଭକ ବକ୍ତବ୍ଯ ପ୍ରଦାନ କରିଥିଲେ ଏବଂ ଅଖିଳ ଭାରତୀୟ ସାହିତ୍ଯ ପରିଷଦ ଓ ପାଲାଗାୟକ ପରିଷଦ ଆନୁକୂଲ୍ଯରେ ଅନୁଷ୍ଠିତ ଏଭଳି ପୂଜ୍ଯ ପୂଜା କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ଦିଲ୍ଲୀପ କୁମାର ରାଜ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କଲା ପରେ ଡକ୍ଟର ଦୁର୍ଗା ମାଧବ ପୃଷ୍ଟି ଶାନ୍ତିପାଠ ପରିଚାଳନା କରିଥିଲେ । ଶେଷରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ସଭାପତି ସଭାସାଙ୍ଗ ଘୋଷଣା କରିଥିଲେ ।
