*ସଅଁରାରେ ୩ ପରିବାର ଜଳବନ୍ଦୀ, ପ୍ରଶାସନ ନିଦାବିଷ୍ଣୁ!*
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ପଞ୍ଚାୟତର ୫ ନମ୍ବର ୱାର୍ଡରେ ୨୫ଟି ପରିବାର ବାସ କରୁଥିବା ବେଳେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ୩ଟି ପରିବାର ଜଳବନ୍ଦୀ ହୋଇ ରହିଛନ୍ତି। ମାତ୍ର ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନଥିବା ଅଭିଯୋଗ ହୋଇଛି।
ଜଳବନ୍ଦୀ ପରିବାର ହେଲେ ଶୁଭେନ୍ଦୁ ଦାସ, ସସ୍ମିତା ଦାସ ଓ ବୈରାଗୀ ଦାସ। ସେମାନଙ୍କ ଚାଳ ଛପର ଘର ପାଣି ଭିତରେ ରହିଛି। ସସ୍ମିତା ଜଣେ ଭିନ୍ନକ୍ଷମ ଓ ତାଙ୍କ ପିତା ପକ୍ଷାଘାତ ରୋଗୀ। ପାଣି ଭିତରେ ଯିବା ଆସିବା କରି ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନୁସୂଚିତ ବର୍ଗର ଏହି ପରିବାର ସରକାରୀ ସହାୟତାରୁ ବଞ୍ଚିତ ଥିବା ଜଣାପଡିଛି। ଏନେଇ ସ୍ଥାନୀୟ ବାସିନ୍ଦା ନିହାର ରଞ୍ଜନ ମହାନ୍ତି, ଶୁଭାଶିଷ ସ୍ୱାଇଁ, ପ୍ରଶାନ୍ତ ପାଣି, ପ୍ରଭାକର ଷଡ଼ଙ୍ଗୀ ଓ ମହନି ଚରଣ ଜେନା ତୁରନ୍ତ ସହାୟତା ଦାବି କରିଛନ୍ତି।
