ରାୟଗଡ଼ ରେଳ ମଣ୍ଡଳରେ ଭୂସ୍ଖଳନ: ଟ୍ରେନ୍ ଚଳାଚଳ ପ୍ରଭାବିତ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ରାୟଗଡ଼: ମୂଷଳଧାରା ବର୍ଷା ଓ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁଁ ରାୟଗଡ଼ ରେଳ ମଣ୍ଡଳରେ ଟ୍ରେନ୍ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ରେଳପଥର ସୁରକ୍ଷା ଓ ମରାମତି ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପ୍ରାୟ ୩୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
ରାଉଳି, ଲିଲିଗୁମା, ଛତ୍ରୀପୁଟ, ମାଲିଗୁଡ଼ା ଓ କେଉଟଗୁଡ଼ା-ଶିକାରପାଇ ଅଞ୍ଚଳରେ ମାଟି ଅତଡ଼ା ଖସିବା ଓ ରେଳପଥରେ ପାଣି ଜମିବା ଘଟଣା ଘଟିଛି। ମାଲିଗୁଡ଼ାରେ ୧୫୦, ଛତ୍ରୀପୁଟରେ ୬୦ ଏବଂ କେଉଟଗୁଡ଼ା-ରାଉଳିରେ ୭୫ ଜଣ କର୍ମଚାରୀ ମରାମତି କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ଫସିଥିବା ଯାତ୍ରୀଙ୍କ ପାଇଁ କୋରାପୁଟରୁ ଜଗଦଲପୁର ଓ ଜୟପୁରକୁ ମାଗଣା ବସ୍ ସେବା ଯୋଗାଇ ଦିଆଯାଇଛି। ଏଥିସହ ବିଭିନ୍ନ ଷ୍ଟେସନରେ ଯାତ୍ରୀଙ୍କୁ ଖାଦ୍ୟ, ଜଳ ଓ ସ୍ନାକ୍ସ ବଣ୍ଟନ କରାଯାଉଛି। ସୁରକ୍ଷା ଯାଞ୍ଚ ଓ ପ୍ରମାଣପତ୍ର ମିଳିବା ପରେ ପର୍ଯ୍ୟାୟକ୍ରମେ ସ୍ୱାଭାବିକ ଟ୍ରେନ୍ ଚଳାଚଳ ପୁନଃ ଆରମ୍ଭ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।
