*ସାମର୍ଥ୍ୟର ସୂର୍ଯ୍ୟୋଦୟ: ହିନ୍ଦୋଳ ବ୍ଲକରେ ଭୀମଭୋଇ ଶିବିରରେ ଫୁଟିଲା ୧୭୦ ଦିବ୍ୟାଙ୍ଗଙ୍କ ମୁହଁରେ ହସ
(ନିପ୍ର ଗୋକୁଳାନନ୍ଦ ବେହେରା)ପରିଚୟ ହାସଲ କରିବା ପାଇଁ ଆଜି ହିନ୍ଦୋଳ ବ୍ଲକ ପରିସରରେ ଏକାଠି ହୋଇଥିଲେ ଶତାଧିକ ଦିବ୍ୟାଙ୍ଗ। ସ୍ଥାନୀୟ ପ୍ରଶାସନର ମାନବୀୟ ପ୍ରଚେଷ୍ଟାରେ ଆୟୋଜିତ “ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର” ସେମାନଙ୍କ ଜୀବନରେ ଏକ ନୂତନ ଆଶାର କିରଣ ଭରିଦେଇଛି।ଶିବିରରେ ମୋଟ ୧୭୦ ଜଣ ଦିବ୍ୟାଙ୍ଗ ଭାଇଭଉଣୀ ଯୋଗଦେଇ ନିଜର ଦିବ୍ୟାଙ୍ଗ ପରିଚୟପତ୍ର ପାଇଁ ଆବେଦନ କରିଥିଲେ।ହିନ୍ଦୋଳ ଉପଜିଲ୍ଲାପାଳ ପ୍ରଭାସ କୁମାର ବେଉରା ଏବଂ ବିଡ଼ିଓ କଲ୍ୟାଣ ସୌରଭ ଦାସଙ୍କ ସମ୍ବେଦନଶୀଳ ନେତୃତ୍ୱରେ ଏହି ଶିବିର ସୁଚାରୁରୂପେ ପରିଚାଳିତ ହୋଇଥିଲା। ଏଥିସହ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ସ୍ୱାଇଁ ଓ ବ୍ଲକ ବିଏସଏସଓ ରୋହିତ ପ୍ରଧାନ ଉପସ୍ଥିତ ରହି ଦିବ୍ୟାଙ୍ଗ ମାନଙ୍କୁ ସରକାରୀ ସେବା ଯୋଗାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।ଶିବିରରେ ବିଶେଷଜ୍ଞ ଡାକ୍ତରମାନେ ଦିବ୍ୟାଙ୍ଗମାନଙ୍କର ଯତ୍ନର ସହ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକୀୟ ସୁପାରିଶ କରିଥିଲେ। ସେହିପରି ବ୍ଲକ କର୍ମଚାରୀ, ସ୍କୁଲର NCC ଏବଂ ସ୍କାଉଟ-ଗାଇଡ୍ର ଛାତ୍ରଛାତ୍ରୀମାନେ ଶିବିରକୁ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାହାଯ୍ୟର ହାତ ବଢ଼ାଇ ସ୍ନେହ ଆଦର ସହ ଆଗେଇ ନେଇଥିଲେ। ପ୍ରଶାସନ ଓ ସ୍ୱେଚ୍ଛାସେବୀଙ୍କ ଏହି ମିଳିତ ଉଦ୍ୟମ ଶିବିରକୁ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନକରି ସେବା ଓ ମାନବିକତାର ଏକ ଅନନ୍ୟ ଉଦାହରଣରେ ପରିଣତ କରିଥିଲା।
