ହିନ୍ଦୋଳରେ ହାତୀ ଆତଙ୍କ: ଦୁଇଜଣ ଗୁରୁତର
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳରେ ପୁଣି ଥରେ ଭୟଙ୍କର ରୂପ ନେଇଛି ହାତୀ ଭୟ। ନିୟମିତ ବ୍ୟବଧାନରେ ହାତୀ ବସତି ଆଡ଼କୁ ମୁହାଁଉଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଆତଙ୍କ ପ୍ରକାଶ ପାଇଛି।ଆଜି ବଡ଼ିଭୋରରୁ ଦୁଇ ଭିନ୍ନ ଭିନ୍ନ ସ୍ଥାନରେ ବଣୁଆ ହାତୀର ଆକ୍ରମଣରେ ଦୁଇଜଣ ବୃଦ୍ଧା ମହିଳା ଗୁରୁତର ଆହତ ହୋଇଛନ୍ତି। ପ୍ରଥମ ଘଟଣାଟି କର୍ଣ୍ଣପୁର ବିଟ୍ ଅନ୍ତର୍ଗତ ହାତୁରା ପଞ୍ଚାୟତ ବଲସର ଗ୍ରାମରେ ଘଟିଛି। ସକାଳ ୬ଟା ସମୟରେ ସ୍ୱର୍ଗତ ଜଟାଧାରୀ ଭୋଇଙ୍କ ସ୍ତ୍ରୀ ଗୋପ ଭୋଇ (୬୦) ନିଜ ଘର ସାମ୍ନାରେ ଛିଡ଼ା ହୋଇଥିବା ବେଳେ ହଠାତ୍ ଜଙ୍ଗଲରୁ ବାହାରି ଆସିଥିବା ଏକ ହାତୀତାଙ୍କୁ ଆକ୍ରମଣ କରିଥିଲା। ସେହିପରି ଅନ୍ୟ ଏକ ଘଟଣାରେ, ଦଣ୍ଡିରୀ ସେକ୍ସନ୍ ଜଙ୍ଗଲ ନିକଟରେ ବୁଲୁଥିବା ଜଣେ ମାନସିକ ବିକୃତ ବୃଦ୍ଧା ମଧ୍ୟ ହାତୀ ହାବୁଡ଼ରେ ପଡ଼ି ଗୁରୁତର ଆହତ ହୋଇଛନ୍ତି।ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗ କର୍ମଚାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନାକୁ ନେଇଥିଲେ। ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି। ବନ ବିଭାଗ ନିଜ ହେପାଜତରେ ଉଭୟଙ୍କ ଚିକିତ୍ସା ବ୍ୟବସ୍ଥା କରୁଥିବା ଜଣାପଡ଼ିଛି।
