ବାଲେଶ୍ୱର ଜିଲ୍ଲା କଂଗ୍ରେସର ନୂଆ ସଭାପତି !
ସତ୍ୟଶିଵ ଦାସଙ୍କ ପାଇଁ ରହିବ ବଡ଼ ଚ୍ୟାଲେଞ୍ଜ ! ଅଶୀ ନବେ ଦଶକରେ ବାଲେଶ୍ଵର ଜିଲ୍ଲାର କଂଗ୍ରେସ ସଂଗଠନ ଖୁବ ମଜବୁତ ରହିଥିବା ବେଳେ, ସିମୁଳିଆରେ ପଦ୍ମଲୋଚନ ପଣ୍ଡା, ସୋରରେ କାର୍ତିକ ମହାପାତ୍ର, ନୀଳଗିରିରେ ଅକ୍ଷୟ ଆଚାର୍ଯ୍ୟ, ବସ୍ତାରେ ଭୁପାଳ ମହାପାତ୍ର, ବାଲିଆପାଳ ତଥା ଜଳେଶ୍ଵରରେ ଜୟ ନାରାୟଣ ମହାନ୍ତି, ଭୋଗରାଇରେ କାର୍ତିକେଶ୍ୱର ପାତ୍ର, ଉମାରାଣୀ ପାତ୍ର, ବାଲେଶ୍ୱରରେ ଗୋପ ନାରାୟଣ ଦାସଙ୍କ ଭଳି ନେତା ମାନଙ୍କର ବେଶ ଦବଦବା ରହିଥିବା ନଜିର ରହିଛି। ଏମାନେ ପ୍ରାୟ ସମସ୍ତେ ବିଭିନ୍ନ ସମୟରେ ବିଧାୟକ ରହିଥିବା ବେଳେ, ଭୁପାଳ ବାବୁ, ପଦ୍ମଲୋଚନ ବାବୁ, କାର୍ତିକ ବାବୁ ବିଭିନ୍ନ ସମୟରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ବି ସାମିଲ ହୋଇଥିବା ନଜିର ରହିଛି। ତେବେ ୨୦୦୪ ମସିହା ପରଠାରୁ ବାଲେଶ୍ଵର ଜିଲ୍ଲାରେ କଂଗ୍ରେସ ସଂଗଠନ ଧୀରେ ଧୀରେ ଦୁର୍ବଳ ହୋଇ ଆସିଥିବା ବେଳେ, ଏବେ ବାଲେଶ୍ଵର ଜିଲ୍ଲାର କଂଗ୍ରେସ ବିଧାୟକ ସଂଖ୍ୟା ଶୂନ ହୋଇଯାଇଛି। ତେବେ ଆଜିର ଦିନରେ ସୋର, ଭୋଗରାଇ ନିର୍ବାଚନ ମଣ୍ଡଳୀକୁ ଛାଡ଼ି ଦେଲେ ଅନ୍ୟ ଛଅ ଗୋଟି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସ୍ଥିତି ସେତେଟା ଭଲ ନାହିଁ କହିବା କଥାକୁ ଏଡ଼ାଇ ଦିଆଯାଇ ନପାରେ। ତେବେ ନୂଆ ସଭାପତି ହୋଇଥିବା ଶ୍ରୀ ଦାସଙ୍କ ପାଇଁ ସଂଗଠନକୁ ସଜାଡ଼ିବାରେ ଆଗକୁ ଏକ ବଡ଼ ଆହ୍ୱାନ ରହିଥିବା କହିଲେ ଅତ୍ୟୁକ୍ତି ହେବନାହିଁ। ବିଗତ ଦିନରେ କଂଗ୍ରେସର ଅନେକ ଆଗଧାଡ଼ିର ନେତା କର୍ମୀ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ନଜିର ରହିଥିବା ବେଳେ, ଶ୍ରୀ ଦାସ ଆଗାମୀ ଦିନରେ ଜିଲ୍ଲାରେ କଂଗ୍ରେସକୁ ମଜବୁତ କରିବା ଦିଗରେ କେତେଦୂର ସଫଳ ହେବେ ଏହାହିଁ ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ରହିଥିବା କହିଲେ ଅତ୍ୟୁକ୍ତି ହେବନାହିଁ।।।
