୩ ମାସ ହେଲା ୫୯ ବର୍ଷୀୟ ଦିଲ୍ଲୀପ ଆନ୍ଦ୍ରାପ ନିଖୋଜ ଟ୍ରେନ ଭୁବନେଶ୍ୱର ଯାଇଥିଲେ, ହେଲେ ଘରକୁ ଫେରିଲେନି
ଗଜପତି ( ଟିକି ଲିମା) : ରେଳବାଇ ଥାନାଠାରୁ ପାରଳାଖେମୁଣ୍ଡି ଥାନା ପର୍ଯ୍ୟନ୍ତ ଅଭିଯୋଗ, ତଥାପି ମିଳିଲାନି ସନ୍ଧାନ; ସାମ୍ବାଦିକ ସମ୍ମିଳନୀ କରି ସହଯୋଗ ଲୋଡ଼ିଲା ପରିବାର । ପ୍ରାୟ ତିନି ମାସ ହେଲା… ବାପାଙ୍କ ଅପେକ୍ଷାରେ ପରିବାର। ପାରଳାଖେମୁଣ୍ଡିରୁ ଭୁବନେଶ୍ୱର ଯିବା ପାଇଁ ଟ୍ରେନ୍ରେ ଚଢ଼ିଥିଲେ। କିନ୍ତୁ ଏହାପରେ ଆଉ ଘରକୁ ଫେରିନାହାନ୍ତି ଗଜପତି ଜିଲ୍ଲା ରାୟଗଡ଼ ଥାନା ଅଧୀନ ରାୟଗଡ଼ ଗ୍ରାମର ୫୯ ବର୍ଷୀୟ ଦିଲ୍ଲୀପ କୁମାର ଆନ୍ଦ୍ରାପ। ପରିବାରର ସୂଚନା ଅନୁସାରେ, ଦିଲ୍ଲୀପ କୁମାର ପ୍ରାୟ ତିନି ମାସ ତଳେ ପାରଳାଖେମୁଣ୍ଡିରୁ ଭୁବନେଶ୍ୱର ଯିବା ପାଇଁ ଟ୍ରେନ୍ରେ ଯାତ୍ରା କରିଥିଲେ। ହେଲେ ଭୁବନେଶ୍ୱର ଯିବା ପରଠାରୁ ତାଙ୍କର କୌଣସି ଖୋଜଖବର ମିଳିନାହିଁ। ପରିବାର ଲୋକେ ନିଜ ସ୍ତରରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ରେଳବାଇ ବିଭାଗୀୟ ଥାନାରେ ଏତଲା ଦେଇଥିଲେ। ପରବର୍ତ୍ତୀ ସମୟରେ ପାରଳାଖେମୁଣ୍ଡି ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ପରିବାର। ତେବେ ଦିନ ପରେ ଦିନ ବିତି ଏବେ ପ୍ରାୟ ତିନି ମାସ ହୋଇଯାଇଥିବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ିଛି। ବାପା କେଉଁଠି ଅଛନ୍ତି, କେମିତି ଅଛନ୍ତି—ଏହି ଚିନ୍ତାରେ ପରିବାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ପୋଲିସ ନିଜ ତରଫରୁ ତଦନ୍ତ କରୁଥିବା ପରିବାର ପକ୍ଷରୁ କୁହାଯାଇଥିବା ବେଳେ, ଏପର୍ଯ୍ୟନ୍ତ କୌଣସି ସୁଫଳ ନମିଳିବାରୁ ଶେଷରେ ଏବେ ସାଧାରଣ ଲୋକଙ୍କ ଉପରେ ଭରସା କରିଛି ପରିବାର। ଏନେଇ ଆଜି ପାରଳାଖେମୁଣ୍ଡି ସ୍ଥିତ ଆଇବିଠାରେ ପରିବାର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ରାଜ୍ୟର ପ୍ରତ୍ୟେକ ଜନସାଧାରଣଙ୍କୁ ନିଖୋଜ ଦିଲ୍ଲୀପ କୁମାରଙ୍କୁ ଖୋଜିବାରେ ସହଯୋଗ କରିବାକୁ ପରିବାର ଆକୁଳ ନିବେଦନ କରିଛି।
ଏଥିସହ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ସମ୍ପର୍କରେ ନିଶ୍ଚିତ ସୂଚନା ଦେଇ ତାଙ୍କୁ ଖୋଜିବାରେ ସହାୟତା କରୁଥିବା ବ୍ୟକ୍ତିଙ୍କୁ ପରିବାର ପକ୍ଷରୁ ୫,୦୦୦ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି। ତିନି ମାସର ଅପେକ୍ଷା… ଅନିଶ୍ଚିତତା ଭିତରେ ପରିବାର। ଏବେ ସାଧାରଣ ଲୋକଙ୍କ ସହଯୋଗ ହିଁ ହୁଏତ ଏହି ପରିବାରକୁ ତାଙ୍କ ପ୍ରିୟଜନଙ୍କ ପାଖରେ ପହଞ୍ଚାଇପାରିବ। ଯଦି କୌଣସି ବ୍ୟକ୍ତି ଦିଲ୍ଲୀପ କୁମାରଙ୍କୁ କେଉଁଠି ଦେଖିଥିବେ କିମ୍ବା ତାଙ୍କ ସମ୍ପର୍କରେ କୌଣସି ନିଶ୍ଚିତ ସୂଚନା ପାଇଥିବେ, ତେବେ ନିକଟସ୍ଥ ପୋଲିସ ଥାନା କିମ୍ବା ପରିବାରକୁ ତୁରନ୍ତ ଜଣାଇବାକୁ ଅନୁରୋଧ।
