ବାଲିଆପାଳରେ ବଢ଼ୁଛି ଡ୍ରଗ୍ସ ରାକେଟ୍!
ଅତିଷ୍ଠ ଗ୍ରାମବାସୀ, ଚିନ୍ତାରେ ଅଭିଭାବକ
ବସ୍ତା:- ୧୨/୦୮ (ନି.ପ୍ର)
ସେଖ ଆଜାରୁଦ୍ଦିନ
ବାଲିଆପାଳ ଅଞ୍ଚଳରେ ଦିନକୁ ଦିନ ବଢ଼ିଚାଲିଛି ଡ୍ରଗ୍ସ କାରବାର। ଯୁବପୀଢ଼ିଙ୍କ ଉପରେ ଏହାର ପ୍ରଭାବକୁ ନେଇ ଚିନ୍ତାରେ ଗ୍ରାମବାସୀ।ବେତଗଡ଼ିଆ ପଞ୍ଚାୟତ ଅଧୀନ ନାରାୟଣପୁର ଅଞ୍ଚଳରେ ଦୀର୍ଘଦିନ ଧରି ଧଳାଜହର କାରବାର ଚାଲିଥିବା ନେଇ ଅଭିଯୋଗ ହେଉଛି। ଛକ, ବଜାର ଠାରୁ ଚା’ ଦୋକାନ ପର୍ଯ୍ୟନ୍ତ ଡ୍ରଗ୍ସ କାରବାର ବଢ଼ୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଆଜି ସକାଳେ ଜଣେ ସ୍ଥାନୀୟ ଯୁବକ ଧଳାଜହର ନେଇ ଯାଉଥିବା ସନ୍ଦେହରେ ଗ୍ରାମବାସୀ ତାଙ୍କୁ କାବୁ କରି ବାଲିଆପାଳ ପୋଲିସର ଜିମା ଦେଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଧରାପଡ଼ିଥିବା ଯୁବକ ଖଗଡ଼ାପାଳ ବସ୍ତିରୁ ଡ୍ରଗ୍ସ ଆଣି ବିକ୍ରି କରୁଥିବା କଥା କହିଥିବା ଜଣାପଡ଼ିଛି। ଏହି ଘଟଣା ପରେ ନାରାୟଣପୁର ଅଞ୍ଚଳରେ ଡ୍ରଗ୍ସ କାରବାର ଉପରେ ପୋଲିସ କଡ଼ା ନଜର ରଖିବା ସହ ଏହାର ମୂଳ ଉତ୍ସ ପର୍ଯ୍ୟନ୍ତ ପହଞ୍ଚିବାକୁ ଗ୍ରାମବାସୀ ଦାବି କରିଛନ୍ତି।
