*ନିଶା ଚାଷକୁ ଅବକାରୀର ଝଟ୍କା, ଦୁଇ ଅଟକ*
ରାଇଘର:ତା/୧୩/୧୧ (ଉମେଶ ସାହୁ): ନିଶାମୁକ୍ତ ସମାଜ ଗଠନ ଦିଗରେ ଅବକାରୀ ବିଭାଗର ଆଉ ଏକ ବଡ଼ ପଦକ୍ଷେପ। ଗଞ୍ଜେଇ ଚାଷ ଓ ନିଶା କାରବାରକୁ ରୋକିବା ପାଇଁ ରାଇଘର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଗତ ୧୨ ନଭେମ୍ବର ୨୦୨୬ରେ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଚଢ଼ାଉ କରାଯାଇଛି।ଚଢ଼ାଉ ସମୟରେ ଗ୍ରାମରେ ଚାଷ ହୋଇଥିବା ୧୬୩ଟି ଗଞ୍ଜେଇ ଗଛ ଚିହ୍ନଟ କରାଯାଇଥିଲା। ପରେ ସମସ୍ତ ଗଛକୁ ଉପାଡ଼ି ପୋଡ଼ି ନଷ୍ଟ କରାଯାଇଥିବା ବେଳେ ଏହି ଘଟଣାରେ ଦୁଇ ଜଣଙ୍କୁ ଆଇନଗତ ପ୍ରକ୍ରିୟା ଅନୁଯାୟୀ ଅଦାଲତକୁ ପଠାଯାଇଥିବା ସୂଚନା ମିଳିଛି।ଏହି ଚଢ଼ାଉରେ ରାଇଘର ଅବକାରୀ ଥାନା ଅଧିକାରୀ ସମୀର କୌଶଲ୍ୟା, ଅବକାରୀ ନିରୀକ୍ଷକ ରଞ୍ଜୁଲତା ବାରିକ, ଉମରକୋଟ ଅବକାରୀ ଥାନା ଅଧିକାରୀ ଆକାଶ କୁମାର ସାହୁଙ୍କ ସମେତ ଉଭୟ ଅବକାରୀ ଥାନାର କର୍ମଚାରୀ ଓ ଅତିରିକ୍ତ ତହସିଲଦାର ଶିବାନୀ ନାୟକ ସାମିଲ ହୋଇଥିଲେ।
ଅଞ୍ଚଳରେ ନିଶା ଚାଷର କାରବାର ରୋକିବା ପାଇଁ ଏଭଳି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଆଶା କରାଯାଉଛି। ତେବେ ନିଶାମୁକ୍ତ ସମାଜ ଗଠନ ପାଇଁ କେବଳ ଚଢ଼ାଉ ନୁହେଁ, ଏହା ସହିତ ଜନସଚେତନତା ଓ ନିୟମିତ ନଜରଦାରି ମଧ୍ୟ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।
