*ବିଜେପି କର୍ମୀଙ୍କ ଉପସ୍ଥିତିରେ ଭତ୍ତା ବଣ୍ଟନ କରିବାକୁ ପିଇଓଙ୍କୁ ବିଡିଓଙ୍କ ନିର୍ଦ୍ଦେଶ!*
*ବିଡିଓ ବନଜା ଦାସଙ୍କ ମୌଖିକ ନିର୍ଦ୍ଦେଶ ଫାଶ୍ କଲେ ବିଏସ୍ଏସ୍ଓ, ଧରା ପଡ଼ିବା ପରେ ଦୋଷ ଲଦିଲେ ବିଡିଓ*
*ବଡ଼ସାହି, ୨୫/୧୧ (ଭାଞ୍ଜଦୁତ ଖବର) :*
*୧.* ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପାଇବାରୁ ବଞ୍ଚିତ ହଜାର ହଜାର ଆଶାୟୀଙ୍କ ମଧ୍ୟରୁ କେତେକଙ୍କୁ ଭତ୍ତା ପ୍ରଦାନ କରାଯିବାକୁ ସରକାର ପକ୍ଷରୁ ଅନୁମୋଦନ ମିଳିଛି। ଜିଲ୍ଲା ସ୍ତରରେ, ବ୍ଲକ୍ ସ୍ତରରେ ଭତ୍ତା ପ୍ରଦାନ ପର୍ବ ଶେଷ ହୋଇଥିବା ବେଳେ ଏବେ ଏହା ପଞ୍ଚାୟତ ସ୍ତରରେ ପ୍ରଦାନ କରାଯିବାର ଆୟୋଜନ ହେଲାଣି।
*୨.* ବଡ଼ସାହି ବ୍ଲକର ୩୦ ପଞ୍ଚାୟତ ମଧ୍ୟରୁ ୨୧ ପଞ୍ଚାୟତ ବଡ଼ସାହି ବିଧାନସଭା କ୍ଷେତ୍ର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଅନ୍ୟ ୯ ପଞ୍ଚାୟତ ବାରିପଦା ନିର୍ବାଚନ ମଣ୍ଡଳୀ ମଧ୍ୟରେ ରହିଛି। ପ୍ରଥମେ ବଡ଼ସାହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୧ ପଞ୍ଚାୟତରେ ଆଜି ୨୫ ତାରିଖରେ ଭତ୍ତା ପ୍ରଦାନ କରାଯିବାକୁ ଦିନ ଓ ସମୟ ଧାର୍ଯ୍ୟ ହୋଇଥିଲା। ନୂତନ ହିତାଧିକାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିବାକୁ ସୂଚନା ଦିଆଯାଇଛି।
*୩.* କିନ୍ତୁ ଏଥିରେ ବିଡିଓ ବନଜା ଦାସଙ୍କ ରାଜନୀତି ସାମ୍ନାକୁ ଆସିଛି। ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭତ୍ତା ପ୍ରଦାନ ପାଇଁ ବଡ଼ସାହି ବିଧାୟକ ଚୟନ କରିଥିବା ପ୍ରତିନିଧି ତଥା ବିଜେପିର ଦଳୀୟ କର୍ମୀମାନଙ୍କୁ ଉପସ୍ଥିତ ହେବା ପାଇଁ ନିମନ୍ତ୍ରଣ କରିବାକୁ ବିଡିଓ ନିର୍ଦ୍ଦେଶ ଦେଇଥିବା ସମ୍ପର୍କରେ କାର୍ଯ୍ୟରତ ବିଏସ୍ଏସ୍ଓ ଲିଖିତ ଜଣାଇଛନ୍ତି।
*୪.* ସାଧାରଣରେ ପ୍ରଶ୍ନ ଉଠୁଛି – ପ୍ରତ୍ୟେକ ପଞ୍ଚାୟତରେ ନିର୍ବାଚିତ ଜନ ପ୍ରତିନିଧି ଭାବେ ସରପଞ୍ଚ, ୱାର୍ଡ ସଭ୍ୟ/ସଭ୍ୟାଙ୍କୁ ନେଇ ଭତ୍ତା ବଣ୍ଟନ କରା ନ ଯାଇ ବିଜେପି କର୍ମୀଙ୍କୁ ଏଥିରେ ସାମିଲ କରି ଏହାକୁ ରାଜନୀତିକରଣ ବିଡିଓ କରୁଛନ୍ତି କାହିଁକି? ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଲିଖିତ ନିର୍ଦ୍ଦେଶ ଦିଆଯାଇଛି କି ବୋଲି ମଧ୍ୟ ପ୍ରଶ୍ନ ଉଠୁଛି।
*୫.* ଏଥିନେଇ ବିଏସ୍ଏସ୍ଓ ସାର୍ଣ୍ଣା ହେମ୍ବ୍ରମ୍ଙ୍କୁ ପଚାରିବାରେ ସେ କହିଛନ୍ତି, _”ବିଧାୟକଙ୍କ ତାଲିକାରେ ନାମ ଥିବା ତାଙ୍କ ପ୍ରତିନିଧିମାନଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ପିଇଓମାନେ ଡାକିବେ ଏବଂ ସେମାନଙ୍କ ଉପସ୍ଥିତିରେ ଭତ୍ତା ବଣ୍ଟନ କରିବାକୁ ବିଡିଓ ମୌଖିକ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ନିର୍ଦ୍ଦେଶନାମା ଅନୁସାରେ ସମସ୍ତ ପିଇଓଙ୍କୁ ହ୍ୱାଟ୍ସ୍ଆପ୍ ମାଧ୍ୟମରେ ଜଣାଯାଇଛି। ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ବୋଲି କହିବାରୁ ବିଡିଓ ମନା କଲେ।”_
*୬.* ବିଡିଓ ବନଜା ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ ନିଜ ଭୁଲ୍କୁ ସ୍ୱୀକାର ନ କରି ଓଲଟି ବିଏସ୍ଏସ୍ଓଙ୍କ ଉପରେ ଦୋଷ ଲଦି ଦେଇ କହିଛନ୍ତି, _”ଚିଠି କରାଯାଇ ନାହିଁ। ବିଏସ୍ଏସ୍ଓ ଏହାକୁ ଭୁଲ୍ ଉପସ୍ଥାପନ କରିଛନ୍ତି। ପିଆର୍ଆଇ ମେମ୍ବର ବଣ୍ଟନ ବେଳେ ରହିବେ। ରିଭ୍ୟୁ ମିଟିଂ ଶେଷ ହେଲେ ମୁଁ ଷ୍ଟାଫ୍ମାନଙ୍କୁ ଡାକି ସଠିକ୍ ଭାବେ କହିବି।”_
*୭.* ନିଜେ ନିର୍ଦ୍ଦେଶ ଦେଇ ଏବେ ନିଜେ ମନା କରିବା – ଏହା କଣ ଜଣେ ଦାୟିତ୍ୱବାନ ବିଡିଓଙ୍କ ଭାଷା? ନିଜ କର୍ମଚାରୀଙ୍କ ଉପରେ ଦୋଷ ଲଦି ଖସି ଯିବାକୁ ଚେଷ୍ଟା କରୁଛନ୍ତି କି ବିଡିଓ ବନଜା ଦାସ? ଏହି ଘଟଣାକୁ ନେଇ ଆଜି ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ସ୍ଥଗିତ ରହିଥିବା ଜଣାଯାଇଛି।
*ମୟୂରଭଞ୍ଜରୁ ଶୁଭାଶିଷ ଚୌଧୁରୀଙ୍କ ସହ ମୋନାଲି ସାହୁଙ୍କ ରିପୋର୍ଟ, ଭଞ୍ଜଦୂତ ଖବର*
