*ବଦଳୀ ଗାଁ ଜଙ୍ଗଲରେ ଷ୍ଟାଡିୟମ୍ ପାଇଁ ଗଛ କଟାକୁ ନେଇ ଉତ୍ତେଜନା, ଗ୍ରାମବାସୀଙ୍କ ତିବ୍ର ବିରୋଧ*
*ତହସିଲଦାରଙ୍କ ମନମୁଖୀ କାର୍ଯ୍ୟକୁ ନିନ୍ଦା କଲେ ପୂର୍ବତନ ବିଧାୟକ ଗଣେଶ୍ୱର ପତ୍ର*
*ବାରିପଦା, ୨୫/୧୧ (ଭାଞ୍ଜଦୁତ ଖବର) :*
*୧.* ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ବଦଳୀ ଗାଁ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପାଖ ଜଙ୍ଗଲରେ ଗ୍ରାମବାସୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି।
*୨.* ପ୍ରାପ୍ତ ସୂଚନା ଅନୁଯାୟୀ, ଭାରତୀୟ ଜନତା ପାର୍ଟିର ବଡ଼ସାହି ବିଧାନସଭା ନିର୍ବାଚନମଣ୍ଡଳୀ ବିଧାୟକଙ୍କ ଚାପର ବଶବର୍ତ୍ତୀ ହୋଇ ବଡ଼ସାହି ତହସିଲଦାର କୌଣସି ଗ୍ରାମସଭା ବା ପଲ୍ଲୀସଭା ନ କରାଇ, ପିଆର୍ଆଇ ମେମ୍ବର ଓ ଗ୍ରାମବାସୀଙ୍କୁ ନ ଜଣାଇ ମନମୁଖୀ ଭାବରେ ଜଙ୍ଗଲରେ ଥିବା ଗଛ ଗୁଡ଼ିକୁ କାଟି ଉକ୍ତ ସ୍ଥାନରେ ଏକ ଷ୍ଟାଡିୟମ୍ ନିର୍ମାଣ କରିବା ପାଇଁ ଏକ ବଡ଼ ଧରଣର ଷଡ଼ଯନ୍ତ୍ର କରିଥିଲେ ବୋଲି ଅଭିଯୋଗ ହୋଇଛି।
*୩.* କୌଣସି କାରଣବଶତଃ ଏହି ଷଡ଼ଯନ୍ତ୍ର ବିଷୟରେ ଗ୍ରାମବାସୀମାନେ ଜାଣି ପାରି ଏହାର ତିବ୍ର ବିରୋଧ କରିଥିଲେ ଏବଂ ବଡ଼ସାହି ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଗଣେଶ୍ୱର ପତ୍ରଙ୍କୁ ଜଣାଇବା ସହିତ ସ୍ଥାନୀୟ ସରପଞ୍ଚଙ୍କୁ ଏ ବାବଦରେ ଅବଗତ କରାଇଥିଲେ। ସରପଞ୍ଚ ଗ୍ରାମବାସୀମାନଙ୍କଠାରୁ ସମସ୍ତ କଥା ଶୁଣି ସେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ।
*୪.* ଏତିକିରେ ତହସିଲଦାରଙ୍କ ମନ ବୁଝିଲାନି। ସେ ନିଜ କ୍ଷମତାର ଅପବ୍ୟବହାର କରି ପୋଲିସ୍ ଫୋର୍ସ ଡକାଇ ଗ୍ରାମବାସୀମାନଙ୍କୁ ଡରାଇ ଧମକାଇ ଘଉଡ଼ାଇବାର ଅପଚେଷ୍ଟା କରିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଇ ନ ଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
*୫.* ଏହି ଅବସରରେ ବଡ଼ସାହି ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ଯୁବ ବିଧାୟକ ଶ୍ରୀଯୁକ୍ତ ପତ୍ର (ମଣ୍ଟୁ ଭାଇ)ଙ୍କ ସହିତ ବଡ଼ସାହି ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ମିନତୀ ସିଂ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ କାଞ୍ଚନ ପ୍ରଧାନ, ମାନଗୋବିନ୍ଦପୁର ପଞ୍ଚାୟତର ସମିତି ସଭ୍ୟ ତଥା ବିଜେଡି ଯୁବନେତା ଶ୍ରୀଯୁକ୍ତ ରାକେଶ ମହାପାତ୍ର ଓ ମାଣତ୍ରୀ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ମହାଦେବା ସିଂ, ବଡ଼ସାହି ବ୍ଲକର ବିଜେଡ଼ି ସଭାପତି ଶ୍ରୀଯୁକ୍ତ ତପନ କୁମାର ପତି ଏବଂ ନାଏବ ସରପଞ୍ଚ ଶ୍ରୀଯୁକ୍ତ ଅଜିତ କୁମାର ପଣ୍ଡାଙ୍କ ସହ ବିଜେଡିର ଆଗଧାଡ଼ିର କର୍ମୀମାନେ ପହଞ୍ଚି ଗ୍ରାମବାସୀମାନଙ୍କୁ ପୋଲିସ୍ କବଳରୁ ରକ୍ଷା କରିବା ସହିତ ଜଙ୍ଗଲ ସୁରକ୍ଷା ଦିଗରେ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
*୬.* ଶ୍ରୀଯୁକ୍ତ ପାତ୍ର ତହସିଲଦାରଙ୍କ ଏଭଳି ଏକ ଘୃଣ୍ୟ କାର୍ଯ୍ୟକୁ ତିବ୍ର ନିନ୍ଦା କରିବା ସହିତ ପରିବେଶ ପାଇଁ ଜଙ୍ଗଲ ଗଛ କେତେ ଦରକାରୀ ସେ ବାବଦରେ ଆଲୋଚନା କରିଥିଲେ ଓ ଜଙ୍ଗଲରୁ ଗୋଟିଏ ବି ଗଛ କଟା ଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବରେ ଚେତାବନୀ ଦେଇଥିଲେ।
*ମୟୂରଭଞ୍ଜରୁ ଶୁଭାଶିଷ ଚୌଧୁରୀଙ୍କ ସହ ମୋନାଲି ସାହୁଙ୍କ ରିପୋର୍ଟ, ଭଞ୍ଜଦୂତ ଖବର*
