କେବଲାଙ୍ଗ ପୁଲିସର ବଡ଼ ସଫଳତା
ଗୋଚାଲାଣର ବଡ଼ ରାକେଟ୍ର ପର୍ଦ୍ଦାଫାସ୍, ୪ ଅଭିଯୁକ୍ତ ଗିରଫ
୧୧ଟି ଗୋରୁ ଉଦ୍ଧାର, ଗୋହତ୍ୟା ଉଦ୍ଦେଶ୍ୟରେ ଚାଲାଣ ଅଭିଯୋଗ
କୋଇଡା: ସୁନ୍ଦରଗଡ଼ ଜିଲ୍ଲାରେ ବେଆଇନ ଗୋଚାଲାଣ ରାକେଟ୍ ବିରୋଧରେ କେବଲାଙ୍ଗ ପୁଲିସକୁ ବଡ଼ ସଫଳତା ମିଳିଛି। ଗୋରୁ ଚାଲାଣ ଓ ବେଆଇନ ବିକ୍ରି ଅଭିଯୋଗରେ ଏକ ରାକେଟ୍ର ଚାରି ଜଣଙ୍କୁ ପୁଲିସ ଗିରଫ କରିବା ସହ ୧୧ଟି ଗୋରୁ ଉଦ୍ଧାର କରିଛି। ଏହି ଘଟଣାରେ କେବଳଙ୍ଗ ଥାନାରେ କେସ୍ ନଂ ୨୪୨, ତାରିଖ ୦୧.୧୧.୨୦୨୬ରେ ମାମଲା ରୁଜୁ ହୋଇଛି।
ପୁଲିସ ସୂଚନା ଅନୁଯାୟୀ, ନଭେମ୍ବର ୧ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ବିମଳାଗଡ଼ ପ୍ରବେଶ ଫାଟକ ନିକଟ ରେଳପଥ ପାର୍ଶ୍ୱ ରାସ୍ତାରେ ପାତୁ ମୁଣ୍ଡାଙ୍କ ସହ ଅନ୍ୟ ଚାରି ଜଣ ୧୧ଟି ଗୋରୁ ଧରି କେବଲାଙ୍ଗ ଅଭିମୁଖେ ଯାଉଥିବା ଦେଖି ହେମ୍ବୋ ଓରାମ ନାମକ ଜଣେ ବ୍ୟକ୍ତି ସେମାନଙ୍କୁ ପଚରାଉଚରା କରିଥିଲେ। ଗୋରୁଗୁଡ଼ିକୁ ଲାଠିକଟା ମହମ୍ମଦ ଜମାଲଙ୍କୁ ଦେବାକୁ ନିଆଯାଉଥିବା ଜଣାପଡ଼ିଥିଲା। ଗୋରୁଗୁଡ଼ିକ ଗମଲେଇ ବଜାରରୁ ବିନା ଆବଶ୍ୟକୀୟ କାଗଜପତ୍ରରେ ଅଣାଯାଇ ହତ୍ୟା ଉଦ୍ଦେଶ୍ୟରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା।
ଏହି ଘଟଣାରେ ପୁଲିସ ଲାଠିକଟା ନୁଆଗାଁ ଅଞ୍ଚଳର ଜମାଲ ଅନସାରୀ (୬୦), ମହମ୍ମଦ ସାହାଦତ ମିୟାଁ (୪୩), ବଣାଇଁ ଅଞ୍ଚଳର ରୋହିତ କୁମାର ପାତ୍ର (୪୮) ଓ ବିଜୁ ଓରଫ ବିଜୟ କୁମାର ପାତ୍ର (୫୩)ଙ୍କୁ ଗିରଫ କରିଛି। ଏଥିସହ ୧୧ଟି ଗୋରୁ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ମାମଲା ଥିବା ବୋଲି ବଣାଇଁ ଉପଖଣ୍ଡ ପୁଲିସ୍ ଅଧିକାରୀ ରାମଚନ୍ଦ୍ର ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସୁଚନା ପ୍ରଦାନ କରିଥିଲେ । ଗୋଚାଲାଣ ରାକେଟ୍ର ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି ଏବଂ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୁଲିସର ତଦନ୍ତ ଜାରି ରହିଛି।
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ରୁ ସଞ୍ଜୟ ବେହେରା ଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
