କଳାହାଣ୍ଡିରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କୋକସରାରେ ବଢୁଥିବା ଜଘନ୍ୟ ହତ୍ୟାକାଣ୍ଡ ଏବଂ ପ୍ରଶାସନିକ ନୀରବତାକୁ ନେଇ ଗଭୀର କ୍ଷୋଭ
(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର )
କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅପରାଧ ଏବଂ ନାରକୀୟ ହତ୍ୟାକାଣ୍ଡ ଜିଲ୍ଲାର ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ଜିଲ୍ଲାରେ ପୋଲିସ ପ୍ରଶାସନର ନିଷ୍କ୍ରିୟତା ଏବଂ ନେତୃବୃନ୍ଦଙ୍କ ମୁଖାଘଟା ରାଜନୀତି ବିରୁଦ୍ଧରେ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଗୋଟିଏ ପରେ ଗୋଟିଏ ରକ୍ତାକ୍ତ ଅଧ୍ୱାୟ:
କୋକସରା ଥାନା ଅନ୍ତର୍ଗତ ବେହେରାଭଣ୍ଡା ଡ଼ଙ୍ଗରୀରେ ପ୍ରେମୀ ଯୁଗଳଙ୍କ ନିର୍ମମ ହତ୍ୟାକାଣ୍ଡର କିଛି ଦିନ ନପୂରୁଣୁ, ଲଡ଼ୁଗାଁ ଠାରେ ଜଣେ ଯୁବକଙ୍କ ତଣ୍ଟି କାଟି ହତ୍ୟା କରାଯିବା ଏବଂ ତାର ପରବର୍ତ୍ତୀ ଦିନ ମଧୁପୁର କେନାଲରୁ ମୃତଦେହ ଉଦ୍ଧାର ହେବା ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଜିଲ୍ଲାରେ ଆଇନର ଶାସନ ଅଛି କି ନାହିଁ, ତାହାକୁ ନେଇ ବର୍ତ୍ତମାନ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏସ୍.ପି. (SP)ଙ୍କ ଭୂମିକା ଏବଂ ପ୍ରଶାସନିକ ନୀରବତା:
ଦିନକୁ ଦିନ ବଢୁଥିବା ଅପରାଧକୁ ରୋକିବା ପାଇଁ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ (SP) କ’ଣ ପଦକ୍ଷେପ ନେଉଛନ୍ତି, ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ପ୍ରଶାସନ ହାତରେ ହାତ ବାନ୍ଧି ବସିରହିଥିବା ଯୋଗୁଁ ଅପରାଧୀଙ୍କ ମନୋବଳ ଦିନକୁ ଦିନ ବୃଦ୍ଧି ପାଉଛି। ସାଧାରଣ ଜନତାଙ୍କ ମଧ୍ୟରୁ ପୋଲିସ ଉପରୁ ବିଶ୍ୱାସ ସମ୍ପୂର୍ଣ୍ଣ ଭାବେ ଉଠିଯିବାରେ ଲାଗିଛି। ଏହି ସମସ୍ତ ଘଟଣାର ଏକ ନିରପେକ୍ଷ ଏବଂ ଉଚ୍ଚସ୍ତରୀୟ କ୍ରାଇମବ୍ରାଞ୍ଚ (Crime Branch) ତଦନ୍ତ କରାଯିବା ପାଇଁ ଏବେ ଜୋରଦାର ଦାବି ହେଉଛି।
ନେତାଙ୍କ ‘ଛଦ୍ମବେଶୀ’ ଓ ସ୍ୱାର୍ଥପର ରାଜନୀତି:
ଏଭଳି ମର୍ମାନ୍ତୁକ ଘଟଣା ଘଟୁଥିବା ସମୟରେ ଜିଲ୍ଲାର ବିଭିନ୍ନ ସଂଗଠନ ଏବଂ ପ୍ରଭାବଶାଳୀ ନେତାମାନଙ୍କର କୌଣସି ଦର୍ଶନ ମିଳୁନାହିଁ। ପୀଡ଼ିତାଙ୍କ ପରିବାରକୁ ଯାଇ ସାନ୍ତ୍ୱନା ଦେବାକୁ ମଧ୍ୟ ଏହି ନେତାମାନଙ୍କ ପାଖରେ ସମୟ ନାହିଁ। କିନ୍ତୁ ନିର୍ବାଚନ ଆସିଲେ ଏମାନେ ହିଁ ପୁଣି “ମୋ ଜାତିର ଭାଇ, ମୋ ବନ୍ଧୁ” ବୋଲି କହି ଭୋଟ୍ ଭିକ୍ଷା କରିଥାନ୍ତି। ଜନସାଧାରଣ ଏପରି ବହୁରୂପୀ ଓ ସ୍ୱାର୍ଥପର ନେତାମାନଙ୍କର ଦ୍ୱିମୁଖୀ ନୀତିକୁ କଡ଼ା ଭାଷାରେ ଧିକ୍କାର ଜଣାଉଛନ୍ତି।
ପ୍ରଶାସନିକ ଚେତାବନୀ: ଯଦି ଶୀଘ୍ର ଏହି ଜଘନ୍ୟ ହତ୍ୟାକାଣ୍ଡଗୁଡ଼ିକର ପ୍ରକୃତ ରହସ୍ୟ ଉନ୍ମୋଚନ କରାଯାଇ ଅପରାଧୀଙ୍କୁ ଗିରଫ କରା ନ ଯାଏ, ତେବେ ଆଗାମୀ ଦିନରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ।
