ରାଇଘରରେ ନକଲି ମଦ କାରବାର ଉପରେ ପୋଲିସର ଚଢ଼ାଉ, ୩ ଗିରଫ; ୨୦୦ ଲିଟର ମଦ ଜବତ
ରାଇଘର (ଉମେଶ ସାହୁ): ନିଶାମୁକ୍ତ ସମାଜ ଗଠନ ଓ ବେଆଇନ ମଦ କାରବାର ରୋକିବା ଦିଗରେ ରାଇଘର ପୋଲିସକୁ ମିଳିଛି ବଡ଼ ସଫଳତା। ବିରିସାଡ଼ି ଗ୍ରାମରେ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରି ଦୁଇଟି ପୃଥକ ମାମଲାରେ ମୋଟ ୩ ଜଣଙ୍କୁ ଗିରଫ କରିଛି।ପୋଲିସ ରିପୋର୍ଟ ଅନୁଯାୟୀ, ବିରିସାଡ଼ି ଗ୍ରାମରେ ବେଆଇନ ଭାବେ ଆଇଡି ମଦ ପ୍ରସ୍ତୁତ କରାଯାଇ ସାଧାରଣ ଲୋକଙ୍କୁ ବିକ୍ରି କରାଯାଉଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ପୋଲିସ ଯାଞ୍ଚ କରି ଚଢ଼ାଉ କରିଥିଲା।ଏହି ଚଢ଼ାଉ ସମୟରେ ସୁକାଲୁ କଲାର (୪୦), ପ୍ରହଲ୍ଲାଦ କଲାର (୩୮) ଏବଂ ରବି କଲାର (୪୧)ଙ୍କୁ ଗିରଫ କରାଯାଇଥିବା ପୋଲିସ ରିପୋର୍ଟରେ ଉଲ୍ଲେଖ ରହିଛି। ଘଟଣାସ୍ଥଳରୁ ପ୍ରାୟ ୨୦୦ ଲିଟର ଆଇଡି ମଦ ଏବଂ ୪୦୦ ଲିଟର ମହୁଲି ପୋଚ୍ ଜବତ କରାଯାଇଛି।ପୋଲିସର ସୂଚନା ଅନୁସାରେ, ମଦରେ ୟୁରିଆ ଓ ଅନ୍ୟାନ୍ୟ କ୍ଷତିକାରକ ପଦାର୍ଥ ମିଶାଇ ମଦର ଘନତ୍ୱ ବଢ଼ାଯାଉଥିବା ଅଭିଯୋଗ ରହିଛି। ଏଭଳି ନକଲି ମଦ ସେବନ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଟି କରିପାରେ।ଏହି ଘଟଣାରେ ରାଇଘର ଥାନାରେ ୨୯୪ ଓ ୨୯୫ ନମ୍ବରରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି। ଓଡ଼ିଶା ଅବକାରୀ ଆଇନ ଓ ଭାରତୀୟ ନ୍ୟାୟ ସଂହିତାର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି।ତେବେ ଅଞ୍ଚଳରେ ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରି ଉପରେ ପୋଲିସ ଆଗକୁ କେତେ କଡ଼ା ପଦକ୍ଷେପ ନେଉଛି, ତାହା ଏବେ ଦେଖିବାକୁ ବାକି ରହିଲା।
