ବେଆଇନ ବାଲି ବୋଝେଇ ଗାଡ଼ି ଜବତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ ନିପ୍ର):: ବେଆଇନ ଚୋରା ବାଲି ବନ୍ଦ ହେବାର ନାଁ ଧରୁନଥିବା ବେଳେ ବେଆଇନ ବାଲି ଚୋରା ଚାଲାଣ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ସୋର ପ୍ରଶାସନ। ସୋର ତହସିଲଦାର କୃଷ୍ଣ ମୋହନ ସିଂହ ଗୋଡ଼ାଇ ଗୋଡ଼ାଇ ଦୁଇଟି ବେଆଇନ ବାଲି ବୋଝେଇ ଗାଡ଼ିକୁ ଜବତ କରିବାରେ ସଫଳ ହୋଇଛନ୍ତି।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ମୂଳିସିଂ ଛକ ନିକଟରେ ବେଆଇନ ବାଲି ଚାଲାଣ ହେଉଥିବା ଦେଖି ତହସିଲଦାର ଶ୍ରୀ ସିଂହ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ଧରାପଡ଼ିଯିବା ଭୟରେ ଡ୍ରାଇଭରମାନେ ଦୁଇଟି ଯାକ ବାଲି ବୋଝେଇ ଗାଡ଼ିକୁ ଦ୍ରୁତଗତିରେ ଖସାଇ ନେବାକୁ ଉଦ୍ୟମ କରିଥିଲେ। ଏହା ଦେଖି ତହସିଲଦାର ନିଜ ଗାଡ଼ିରେ ସେମାନଙ୍କୁ ପିଛା କରିଥିଲେ। ଶେଷରେ ବିଦୁ ପୋଲ ଉପରେ ଗୋଟିଏ ବାଲି ବୋଝେଇ ଟ୍ରକ୍ (ଓଡି୨୨ଏବି୩୫୩୪) ଏବଂ ବାହାନଗା ପୋଲ ନିକଟରେ ଅନ୍ୟ ଏକ ଟ୍ରକକୁ (ଓଡି୨୨ଏଡି୩୩୯୩) ମାଡ଼ି ବସିଥିଲେ ପ୍ରଶାସନିକ ଟିମ୍। ଯାଞ୍ଚ ବେଳେ ଉଭୟ ଗାଡ଼ିର ଡ୍ରାଇଭରମାନେ କୌଣସି ବୈଧ କାଗଜପତ୍ର କିମ୍ବା ବାଲିର ରୟାଲଟି ରସିଦ ଦେଖାଇ ପାରିନଥିଲେ। ଫଳରେ ତୁରନ୍ତ ଉକ୍ତ ଦୁଇଟି ଯାକ ଗାଡ଼ିକୁ ପ୍ରଶାସନ ପକ୍ଷରୁ ଜବତ କରାଯାଇଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଜବତ ଗାଡ଼ିଗୁଡ଼ିକୁ ସୋର ଥାନାଧିକାରୀ ଏବଂ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଛି। ଆଗାମୀ ଦିନରେ ବେଆଇନ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ରୋକିବାକୁ ଏହିଭଳି ଆକସ୍ମିକ ଚଢ଼ାଉ ଆହୁରି କଡ଼ାକଡ଼ି କରାଯିବ ବୋଲି ତହସିଲ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।
