ପ୍ରଥମ ସୋମବାର ରେ ବାନାମ୍ବର ଘାଟରୁ କାଉଡିଆ ଙ୍କ ଭିଡ।
ରଘୁନାଥପୁର(ନି.ପ୍ର): ଶ୍ରାବଣ ମାସ ପ୍ରଥମ ସୋମବାରରେ ବିଭିନ୍ନ ଶୈବ ପୀଠରେ ଜଳ ଲାଗି ପାଇଁ ରଘୁନାଥପୁର ବ୍ଲକ ତାରପୁର ମହାନଦୀ କୂଳରେ ବାନାମ୍ବର ଘାଟରୁ ହଜାର ହଜାର ସଂଖ୍ୟକ କାଉଡିଆ ପାଣି ଉଠାଇ ବିଭିନ୍ନ ମନ୍ଦିର ମାନଙ୍କୁ ଚାଲିଥିଲେ। ରବିବାର ସକାଳୁ ମହାନଦୀ ଘାଟକୁ ମାନସିକଧାରିଙ୍କ ଆଗମନ ଦେଖିବାକୁ ମିଳିଥିଲା ବେଳେ ଅପରାହ୍ନରେ ଏହା କ୍ରମଶ ବୃଦ୍ଧି ପାଇବାକୁ ଲାଗିଥିଲା। ପ୍ରଥମ ପାଳି ହେତୁ ବିଭିନ୍ନ ସ୍ଥାନରୁ ପାଣି ଉଠାଇବା ପାଇଁ ଆସିଥିବା ବୋଲବମ ଭକ୍ତମାନେ ସେମାନଙ୍କ ଯାନବାହାନ ନଦୀବନ୍ଧରେ ରଖି ଦେବାରୁ ଟ୍ରାଫିକ ସମସ୍ୟା ଦେଖାଯାଇଥିଲା। କାଉଡିଆ ମାନେ ନଦୀରୁ ପାଣି ଆଣି ବିଭିନ୍ନ ସ୍ଥାନରେ ଥୋଇ ଏହାକୁ ପୂଜାର୍ଚନା କରିବା ପରେ ବାନାମ୍ବର ମହାଦେବଙ୍କ ଚତୁର୍ପାର୍ଶ୍ବରେ ପରିଭ୍ରମଣ କରି ଗନ୍ତବ୍ୟ ସ୍ଥାନକୁ ଯାତ୍ରା କରିଥିଲେ। ଏଠାରୁ ପାଣି ନେଇ ଶ୍ରଦ୍ଧାଳୁ କାଉଡିଆ ପ୍ରଭୁ ଗୋରେଖନାଥ, ଅଷ୍ଟସମ୍ଭୁ, ରୁଦ୍ରେଶ୍ଵର, ନୀଳକଣ୍ଠେଶ୍ଵର, ସର୍ପେଶ୍ଵର ଓ ଅନ୍ୟାନ୍ୟ ଶୈବପୀଠକୁ ଯାତ୍ରା କରିଥିଲେ। ଭିଡକୁ ଦୃଷ୍ଟିରେ ରଖି ପାଣି ଉଠା ସ୍ଥଳରେ ରଘୁନାଥପୁର ଥାନା ପୁଲିସ ଓ ଦମକଳ ବାହିନୀ ପକ୍ଷରୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଏହା ଛଡା ତାରପୁର ବାଇପାସ ଠାରୁ ଜଇପୁର ଛକ ପର୍ଯ୍ୟନ୍ତ କାଉଡିଆଙ୍କ ଲମ୍ବା ଲାଇନ ଲାଗିଥିବା ବେଳେ ରଘୁନାଥପୁର ଆଇ ଆଇ ସି ପ୍ରେମଜିତ ଦାସ ଓ ତାଙ୍କ ପୋଲିସ ବାହିନୀ ଉପସ୍ଥିତ ରହି ପେଟ୍ରୋଲିଂ ତଦାରଖ କରୁଥିଲେ। ବାନାମ୍ବର ମନ୍ଦିର ପୂଜା କମିଟି ପକ୍ଷରୁ ବିଷ୍ଣୁ ବିଶ୍ଵାଳ, ଜଗବନ୍ଧୁ ରାଉତ, ମଧୁସୂଦନ ସାହୁ, ପ୍ରତାପ ରାଉତ, ବସନ୍ତ କୁମାର ଦାଶ, ଦିଲୀପ ମହାରଣା, ସୁଶାନ୍ତ ପରିଡା, ରବୀନ୍ଦ୍ର ନାୟକ, ବିଜୟ ଦାସ, ରାଜକୁମାର ଦାଶ, ମିକୁ ବେଉରା ଓ ପ୍ରଭାକର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କାଉଡିଆ ମାନଙ୍କୁ ସହଯୋଗ କରିଥିଲେ।
