ବୌଦ୍ଧରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସହ ବିଭାଗୀୟ ସମୀକ୍ଷା କଲେ ବିଧାୟକ l
ବୌଦ୍ଧ, ତା. ୦୨/୦୮:
ମାନ୍ୟବର ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ଆଜି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିବା ସହ ବନ୍ୟାଜନିତ କ୍ଷୟକ୍ଷତି ନେଇ ବିଭାଗୀୟ ସମୀକ୍ଷା କରିଥିଲେ।ଗତ ପ୍ରାୟ ଏକ ସପ୍ତାହ ଧରି ମହାନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ହରଭଙ୍ଗା ବ୍ଲକର କୁମାରୀ, କୁଶାସିଙ୍ଗା, କୁଡ଼ାସିଙ୍ଗା, ଖଣ୍ଡିଧଳପୁର, ପାଣିଘରା ସମେତ ବିଭିନ୍ନ ଗ୍ରାମ ବନ୍ୟା ଜଳ ଦ୍ୱାରା ପ୍ରଭାବିତ ହୋଇଥିଲା। ବହୁ ଚାଷଜମିରେ ବନ୍ୟା ପାଣି ଜମି ରହିବା ଫଳରେ ଧାନ ଓ ପନିପରିବା ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ମହାନଦୀର ଜଳସ୍ତର ହ୍ରାସ ପାଇ ବିପଦ କଟିଯାଇଥିଲେ ମଧ୍ୟ ବନ୍ୟା ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶା ଏବଂ କ୍ଷୟକ୍ଷତି ଲାଗି ରହିଛି।
ପରିଦର୍ଶନ ସମୟରେ ବିଧାୟକଙ୍କ ସହ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ,ହରଭଙ୍ଗା ତହସିଲଦାର କର୍ଣ୍ଣ ସୁନା, ଡେପୁଟି କଲେକ୍ଟର ଜ୍ୟୋତି ରଞ୍ଜନ ଭୁଏ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମ ବୁଲି ଦେଖିଥିଲେ l ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ।ପରବର୍ତ୍ତୀ ସମୟରେ କୁଶଙ୍ଗ ପଞ୍ଚାୟତଠାରେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନେଇ ବନ୍ୟାଜନିତ କ୍ଷୟକ୍ଷତି ଓ ରିଲିଫ୍ ବ୍ୟବସ୍ଥା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କୃଷି, ରାଜସ୍ୱ,ଜଳସମ୍ପଦ, ପଞ୍ଚାୟତିରାଜ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ କ୍ଷୟକ୍ଷତିର ପ୍ରାଥମିକ ଆକଳନ ଓ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା।
ଏହି ଅବସରରେ ବିଧାୟକ ଜିଲ୍ଲାସ୍ତରୀୟ ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ମାନଙ୍କୁ ବନ୍ୟା ପ୍ରଭାବିତ ଚାଷୀ ଓ ସାଧାରଣ ଲୋକଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ସହାୟତା ଓ ସୁବିଧା ତୁରନ୍ତ ପହଞ୍ଚାଇବା ସହ କ୍ଷୟକ୍ଷତିର ସଠିକ୍ ଆକଳନ କରି ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ପ୍ରଭାବିତ ପରିବାରମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପ୍ରଶାସନକୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।
