ଗୋପାଳପୁରରେ ଆନ୍ତର୍ଜାତୀୟ ସମୁଦ୍ରତଟ ସଫେଇ ଦିବସ-୨୦୨୬ ପାଳିତ
ଆମ ଭିତରୁ ମଧ୍ୟ ଆଫରୋଜ ଶାହାଙ୍କ ଭଳି ପରିବେଶପ୍ରେମୀ ବାହାରିବା ଦରକାର : ମନ୍ତ୍ରୀ ଶ୍ରୀ ଜେନା
ଛତ୍ରପୁର, ତା. ୧୯/୦୯: “ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର” ବାର୍ତ୍ତାକୁ ନେଇ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ଆଜି ଆନ୍ତର୍ଜାତୀୟ ସମୁଦ୍ରତଟ ସଫେଇ ଦିବସ-୨୦୨୬ ପାଳିତ ହୋଇଯାଇଛି। ସମୁଦ୍ରତଟକୁ ପ୍ଲାଷ୍ଟିକ ଓ ବର୍ଜ୍ୟମୁକ୍ତ ରଖିବା ସହ ସାମୁଦ୍ରିକ ପରିବେଶର ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବ୍ରହ୍ମପୁର ଜୋନାଲ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ସଫେଇ ଅଭିଯାନରେ ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ନିଜେ ସମୁଦ୍ରତଟ ସଫେଇ କରିଥିଲେ। ସମୁଦ୍ର, ବେଳାଭୂମି ଓ ସାମୁଦ୍ରିକ ପରିବେଶର ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏଥିପାଇଁ ସମାଜର ପ୍ରତ୍ୟେକ ବର୍ଗର ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ।
ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ, “ଆମ ଭିତରୁ ମଧ୍ୟ ଆଫରୋଜ ଶାହାଙ୍କ ଭଳି ପରିବେଶପ୍ରେମୀ ବାହାରିବା ଦରକାର।” ୨୦୧୫ ମସିହାରେ ମୁମ୍ବାଇର ସମୁଦ୍ରତଟ ସଫେଇରୁ ଆଫରୋଜ ଶାହାଙ୍କ ଆରମ୍ଭ ହୋଇଥିବା ପ୍ରୟାସ ପରବର୍ତ୍ତୀ ସମୟରେ ଏକ ବ୍ୟାପକ ଜନସଚେତନତାର ରୂପ ନେଇଥିଲା। ଏଭଳି ପରିବେଶପ୍ରେମୀଙ୍କ ଠାରୁ ପ୍ରେରଣା ନେଇ ନିଜ ଅଞ୍ଚଳର ପରିବେଶ ଓ ସମୁଦ୍ରତଟର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବ୍ରହ୍ମପୁର ଜୋନାଲ କାର୍ଯ୍ୟାଳୟର ଆଞ୍ଚଳିକ ଅଧିକାରୀ ଦୀପକ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୂଳପତି ପ୍ରଫେସର ଅସୀମା ସାହୁ, ଗୋପାଳପୁର ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ନାହାକ, ଗୋପାଳପୁର କଲେଜର ଅଧ୍ୟକ୍ଷଙ୍କ ସମେତ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ, ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ, ସାଗର ବନ୍ଧୁ ଏବଂ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ।
ଅଭିଯାନରେ ଅଂଶଗ୍ରହଣକାରୀମାନେ ମିଳିତ ଭାବେ ଗୋପାଳପୁର ବେଳାଭୂମି ସଫେଇ କରିବା ସହ ପ୍ଲାଷ୍ଟିକ, ପଲିଥିନ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସଂଗ୍ରହ କରିଥିଲେ।
କାର୍ଯ୍ୟକ୍ରମରେ “ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର” ଓ “ସବୁଜ ସାଗର”ର ବାର୍ତ୍ତା ପ୍ରଚାର କରାଯିବା ସହ ସମୁଦ୍ରତଟ ସଫେଇ ଓ ପରିବେଶ ସୁରକ୍ଷାକୁ କେବଳ ଗୋଟିଏ ଦିନର କାର୍ଯ୍ୟକ୍ରମରେ ସୀମିତ ନ ରଖି ନିୟମିତ ଭାବେ ଜାରି ରଖିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଯାଇଥିଲା।
