
ଅଙ୍ଗନବାଡ଼ିରେ ପଚା ଅଣ୍ଡା ଓ ମୂଷାଖିଆ ସାର୍ଟ ବଣ୍ଟନ ଅଭିଯୋଗ
ଉଦଳା,୧୯/୦୯: ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଲକ ସାନଜୁଣପାଳ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ମହିଳା ଓ ଶିଶୁଙ୍କୁ ପଚା ଅଣ୍ଡା ଏବଂ ପିଲାଙ୍କୁ ମୂଷାଖିଆ ସାର୍ଟ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା କପ୍ତିପଦା ବ୍ଲକ ସାନଜୁଣପାଳ ଗ୍ରାମରୁ ସାମ୍ନାକୁ ଆସିଛି। ଏହାକୁ ନେଇ ଶନିବାର ଶତାଧିକ ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଅଙ୍ଗନବାଡ଼ି କେନ୍ଦ୍ରରେ ସାମଗ୍ରୀ ବଣ୍ଟନରେ ଅନିୟମିତତା ହେଉଥିବା ବେଳେ ପ୍ରାୟ ୬ ମାସ ଧରି ସାମଗ୍ରୀ ଦିଆଯାଇନଥିଲା। ଏନେଇ ଗ୍ରାମବାସୀ ବାରମ୍ବାର ସିଡିପିଓ ଓ ସୁପରଭାଇଜରଙ୍କୁ ଅଭିଯୋଗ କରିଥିଲେ। ଗତକାଲି ଅଙ୍ଗନବାଡ଼ି ୱାର୍କର ଘରକୁ ଯାଇ ଅଣ୍ଡା ଓ ସାର୍ଟ ଦେଇଥିବା ବେଳେ ସେଗୁଡ଼ିକର ଅବସ୍ଥା ଦେଖି ପରିବାର ଲୋକେ ନେବାକୁ ମନା କରିଥିଲେ।
ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ନୂତନ ୱାର୍କର ନିଯୁକ୍ତି ଦାବି କରିଛନ୍ତି ଗ୍ରାମବାସୀ। ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ଅଧିକାରୀ କହିଛନ୍ତି ।
