ରାଧାକୃଷ୍ଣ ମହିଳା ନାମ ସଂକୀର୍ତ୍ତନ ମଣ୍ଡଳୀକୁ ଭବ୍ୟ ସମ୍ବର୍ଦ୍ଧନା
ବେଗୁନିଆପଡା, ତା. ୧୯/୦୯ :
ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ୍. ଛଚିନା ସ୍ଥିତ ରାଧାକୃଷ୍ଣ ମହିଳା ନାମ ସଂକୀର୍ତ୍ତନ ମଣ୍ଡଳୀକୁ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସଂକୀର୍ତ୍ତନ ମଣ୍ଡଳି ସଦସ୍ୟାମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ବିଭିନ୍ନ କାରଣରୁ କ୍ରମଶଃ ରୁଗ୍ଣ ହୋଇ ଆସୁଥିବା ନାମ ସଂକୀର୍ତ୍ତନ ଧାରାକୁ ପୁନଃ ଉଦ୍ଜୀବିତ ରଖିବାପାଇଁ ମାତୃମଣ୍ଡଳୀର ପ୍ରୟାସ ଅତୀବ ଶୁଭ ସୂଚକ ଓ ଏକ ମହାର୍ହ ପଦକ୍ଷେପ ବୋଲି ଉପସ୍ଥାପନ କରିଥିଲେ। ନାଟ୍ୟଗୁରୁ ଇନ୍ଦ୍ରମଣି ସାସମଲଙ୍କ ଅଧ୍ୟାକ୍ଷତାରେ ଗ୍ରାମସ୍ଥ ହନୁମାନ ମନ୍ଦିର ପରିସରରେ ଆୟୋଜିତ ସାଂସ୍କୃତିକ ସଭାରେ ମହାସଂଘ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ଏବଂ ନାଟ୍ୟ କଳା ରତ୍ନ ସୁଦାମ ପଟ୍ଟନାୟକ ଅତିଥି ଭାବରେ ଯୋଗଦେଇ ସଂକୀର୍ତ୍ତନ କଳାକାର ସୁଜ୍ଞାନୀ ବେହେରା, ପ୍ରତିମା ନାୟକ, ବିଜୟଲକ୍ଷ୍ମୀ ବେହେରା, ଅହଲ୍ୟା ଗୌଡ଼, ରାଧା ବେହେରା, ରୀନା ଖଟୁଆ, ଗୀତାଞ୍ଜଳି ବିଷୋୟୀ ମଙ୍ଗୁଳୁ କହଁର, ନୀଳାଞ୍ଚଳ ବିଷୋୟୀ, ପ୍ରସନ୍ନ ବିଷୋୟୀ, ପ୍ରକାଶ ବିଷୋୟୀ ପ୍ରମୁଖ ସମସ୍ତ ସଦସ୍ୟା-ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ସେଇଭଳି କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ କନିଆରୀ ଗ୍ରାମସ୍ଥ ଦଣ୍ଡକାଳୀ ମନ୍ଦିର ପରିସରରେ ଆୟୋଜିତ ଏକ ସାଂସ୍କୃତିକ ସଭାରେ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ କଳାକାରମାନେ ଜଣେ ଜଣେ ସମାଜ ସଂସ୍କାରକ ହେତୁ ସେମାନେ ସାମାଜିକ କି ସରକାରୀ ସ୍ତରରେ ଅବହେଳିତ ହେବା ଉଚ୍ଚିତ ନୁହଁ ବୋଲି ଉଦବୋଧନ ଦେଇଥିଲେ। ରଂଜନ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସାଂସ୍କୃତିକ ସଭାରେ ସ୍ଥାନୀୟ ସରପଞ୍ଚ ରବୀନ୍ଦ୍ର ବେହେରା, ସୁଶାନ୍ତ ପ୍ରଧାନ, ନିରଞ୍ଜନ ରାଉତ, ଶ୍ରୀରାମ ସ୍ୱାଇଁ, ମନୋରଞ୍ଜନ ପ୍ରଧାନ, ତ୍ରିନାଥ ସ୍ୱାଇଁ, ଅଶୋକ କୁମାର ଦାସଙ୍କ ସମେତ ବରିଷ୍ଠ କଳାକାର ମହାସଂଘ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ଏବଂ ନାଟ୍ୟ କଳା ରତ୍ନ ସୁଦାମ ପଟ୍ଟନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀଶ୍ରୀ ଦଣ୍ଡେଶ୍ଵର ମା’ ଦକ୍ଷିଣ କାଳୀ କିର୍ତ୍ତନ ମଣ୍ଡଳି, ଶ୍ରୀଶ୍ରୀ ଦଣ୍ଡେଶ୍ୱର ମା’ କନ୍ଧୁଣିଦେଵୀ ନାମ ସଂଘ, ମା’ ବ୍ରାହ୍ମୁଣୀ ଦେବୀ ମହିଳା ନାମ ସଂକୀର୍ତ୍ତନ ଓ ଭଜନ ମଣ୍ଡଳି ଆଦି କନିଆରୀ ଗ୍ରାମ ସନ୍ନିକଟ ଗ୍ରାମର ସଂକୀର୍ତ୍ତନ କଳାକାରମାନେ ଯୋଗଦେଇ ସଂକୀର୍ତ୍ତନ ପ୍ରଦର୍ଶନ କରିଥିଲେ।
