**ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଅତିରିକ୍ତ ଜିଲ୍ଲାପାଳ, କାଉଡ଼ିଆଙ୍କ ସୁରକ୍ଷା ପାଇଁ ଦେଲେ ପରାମର୍ଶ**
ତିର୍ତୋଲ :ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ ରବିବାର ତିର୍ତ୍ତୋଲ ଅଞ୍ଚଳର ବନ୍ୟା ପ୍ରଭାବିତ ସ୍ଥାନଗୁଡ଼ିକ ପରିଦର୍ଶନ କରିଥିଲେ। ସେ ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହ ତିର୍ତ୍ତୋଲ ମହାନଦୀ ପଠା ନିକଟରେ ନଦୀର ଜଳସ୍ତର ଓ ସାମଗ୍ରିକ ପରିସ୍ଥିତିର ସମୀକ୍ଷା କରିଥିଲେ।
ଏହା ସହ କାଉଡ଼ିଆ ଭକ୍ତମାନେ ଜଳଲାଗି କରିବା ପାଇଁ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଭକ୍ତମାନଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ମହାନଦୀ ପଠାରେ ବ୍ୟାରିକେଡ୍ ବ୍ୟବସ୍ଥା କରିବା ସହ ନଦୀର ଅପର ପାର୍ଶ୍ୱରୁ ପାଣି ସଂଗ୍ରହ କରିବାକୁ ପରାମର୍ଶ ଦେଇଥିଲେ।
ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସଜାଗ ଅବସ୍ଥାରେ ମୁତୟନ ରହିଥିବା ବେଳେ ତିର୍ତ୍ତୋଲ ବିଡିଓ, ତହସିଲଦାର ଏବଂ ପୋଲିସ ପ୍ରଶାସନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ସ୍ଥିତିର ତଦାରଖ କରିଥିଲେ। ବନ୍ୟା ସହିତ ଶ୍ରାବଣ ମାସରେ କାଉଡ଼ିଆଙ୍କ ସୁରକ୍ଷିତ ଜଳଲାଗିକୁ ନେଇ ପ୍ରଶାସନ ପକ୍ଷରୁ ଆବଶ୍ୟକ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
