ଶ୍ରାବଣ ମାସର ପ୍ରଥମ ସୋମବାର ଜଳ ଲାଗି ପାଇଁ ଶୈବପୀଠ ଅଭିମୁଖେ କାଉଡ଼ିଆମାନଙ୍କ ଯାତ୍ରା।
ଢେଙ୍କାନାଳ ସଦର : ଶହ ଶହ କାଉଡ଼ିଆ ରବିବାର ବ୍ରାହ୍ମଣୀ ନଦୀ କୂଳରେ ପୂଜାର୍ଚ୍ଚନା କରି ପାଣିଭାର ଉଠାଇ ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସର ବାବା ଶ୍ରୀଶ୍ରୀ ଚନ୍ଦ୍ରଶେଖରଜିଉ,କରମୂଳ ସ୍ଥିତ ଦୌଡ଼େଶ୍ଵର,ନାଗେନା ସ୍ଥିତ ନାଗନାଥେଶ୍ଵର,ଭୋଜଦେଈପୁର ସ୍ଥିତ ଭୋଳେଶ୍ଵର,ଲତାଦେଈପୁର ସ୍ଥିତ ଉନ୍ନକୋଟୀଶ୍ଵର,ଭାପୁର ଛଦେଶ ଅଞ୍ଚଳ ଗଙ୍ଗାଧରପ୍ରସାଦ ବାବା ପଶ୍ଚିମେଶ୍ୱର ଆଦି ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ବୋଲବମ୍,ହରହର ବମ୍ ଧ୍ଵନି ଦେଇ କାଉଡ଼ିଆ ଭକ୍ତ ଶୈବପୀଠକୁ ଯାଉଛନ୍ତି। ହଜାର ହଜାର ସଂଖ୍ୟାକ କାଉଡ଼ିଆ କପିଳାସ ମୁହାଁ ହୋଇଛନ୍ତି। ଢେଙ୍କାନଳ-କପିଳାସ ରାସ୍ତାରେ ଏହି କାଉଡ଼ିଆମାନେ ପାଦରେ ଚାଲି ଚାଲି ଯାଉଥିବାବେଳେ ଅପରପାର୍ଶ୍ବ ଜୟପୁର,ଚଣ୍ଡିଖୋଲରୁ ଭୁବନ ଏବଂ ନିହଲପ୍ରସାଦ ଦେଇ ହଜାର ହଜାର ଶ୍ରଦ୍ଧାଳୁ କପିଳାସ ପୀଠକୁ ଆସୁଛନ୍ତି। ସେହିପରି ଚୌଦ୍ଵାର ଟାଙ୍ଗୀ-ଦେଓଗାଁ ରାସ୍ତାରେ ମଧ୍ଯ କାଉଡ଼ିଆମାନେ ଧାଡ଼ି ଲଗାଇ କପିଳାସକୁ ଆସୁଛନ୍ତି। କପିଳାସ ପୀଠ ତଳେ ୧୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ ସେମାନେ ପୀଠ ଉପରକୁ ପାଣି ଭାର ଧରି ଯାତ୍ରା କରିଛନ୍ତି। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
