କେନ୍ଦୁଝର: ନରଣପୁର ଉପଖଣ୍ଡର ଚକ ଗ୍ରାମରେ କେନ୍ଦୁଝର ଜିଲାର ଅଗ୍ରଣୀ ଅନୁଷ୍ଠାନ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଦ୍ୱାରା ଗଠିତ ସିନ୍ଦୁର ଗୌରୀ ବନଧନ ବିକାଶ କେନ୍ଦ୍ର, ଚକ, ଡିମ୍ବୋ ପଂଚାୟତଠାରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କେନ୍ଦୁଝର ପ୍ରକଳ୍ପ ପ୍ରଶାସକ ପୁନମ ରାଉତ ନଡିଆ ବାଡେଇ ସରଗୀ(ଶାଳ) ମଞ୍ଜିର ମଣ୍ଡି ଉଦଘାଟନ କରିଥିଲେ । ସେ କହିଲେ ଚଳିତ ବର୍ଷ ଅର୍ଥାତ୍ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଓଡିଶା ସରକାର ୨୧ଟି ଲଘୁ ବନଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ ବ୍ୟବସ୍ଥା କରିଛନ୍ତି । ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହଯୋଗରେ ଆଦିବାସୀ ଉନ୍ନୟନ ସମବାୟ ନିଗମ କେନ୍ଦୁଝର ଶାଖା ସିନ୍ଦୁରଗୌରୀ ବନଧନ କେନ୍ଦ୍ର ମାଧ୍ୟମରେ ଡିମ୍ବୋ,ମଇଦାନକେଲ ଓ ନେଲୁଙ୍ଗ ପଂଚାୟତରୁ କେନ୍ଦୁଝର ଜିଲା ପାଇଁ ଓଡିଶା ସରକାରଙ୍କ ଲଘୁ ବନଜାତ ଦ୍ରବ୍ୟର ଧାର୍ଯ୍ୟ ମୂଲ୍ୟ ଅନୁସାରେ ସରଗୀ ମଞ୍ଜି ସଂଗ୍ରହ କରିବ । କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସଂପାଦକ ତଥା ପରିବେଶବିତ ଭକ୍ତବତ୍ସଳ ମହାନ୍ତି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ କହିଲେ କିଛି ଅସାଧୁ ବେପାରୀ ଲଘୁ ବନଜାତ ଦ୍ରବ୍ୟର ମୂଳ ସଂଗ୍ରହକାରୀଙ୍କଠାରୁ ସରକାରଙ୍କ ଧାର୍ଯ୍ୟ ମୂଲ୍ୟଠାରୁ କମ୍ ଦାମରେ କିଣି ଲାଭାନ୍ୱିତ ହେଉଛନ୍ତି । ଉପସ୍ଥିତ ସମସ୍ତ ମୂଳ ସଂଗ୍ରହକାରୀ ଆଦିବାସୀ ଓ ବନବାସୀ ଭାଇ ଭଉଣୀମାନଙ୍କୁ ସତର୍କ ରହି ବନଧନ ବିକାଶ କେନ୍ଦ୍ର ମଣ୍ଡିଠାରେ ସରଗୀ ମଞ୍ଜି ବିକ୍ରୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ଆଦିବାସୀ ଉନ୍ନୟନ ସମବାୟ ନିଗମ କେନ୍ଦୁଝର ଶାଖାର କ୍ଷେତ୍ରୀୟ ଅଧିକାରୀ ବାସୁଦେବ ମାର୍ଣ୍ଡି ଅନ୍ୟତମ ଅତିଥି ଭାବରେ ଯୋଗଦେଇ କହିଲେ ମୂଳ ସଂଗ୍ରହକାରୀମାନେ ସରଗୀ ମଞ୍ଜିକୁ ମଣ୍ଡିକୁ ଆଣିବା ସମୟରେ ଆଧାର କାର୍ଡ,ଭୋଟର କାର୍ଡ,ବ୍ୟାଙ୍କ ପାସ ବହିର ପ୍ରଥମ ପୃଷ୍ଠାର ଜେରକ୍ସ କପି,ମୋବାଇଲ ନମ୍ବର ଆଣିବା ଜରୁରୀ ଅଟେ । ଯାହାଦ୍ୱାରା ମୂଳ ସଂଗ୍ରହକାରୀର ନାମ ପଞ୍ଜିକରଣ ହୋଇପାରିବ ଓ ବିକ୍ରୟ ପରେ ପରେ ବନଧନ ବିକାଶ କେନ୍ଦ୍ର ମଣ୍ଡିରୁ ରସିଦ ନେଇପାରିବେ । ଜମାଖାତା ମାଧ୍ୟମରେ ବିକ୍ରୟ ବ୍ୟକ୍ତିଙ୍କ ପାଖକୁ ସିଧାସଳଖ ସରଗୀ ମଞ୍ଜିର ପରିମାଣ ଅନୁସାରେ ଧାର୍ଯ୍ୟ ମୂଲ୍ୟ ତିନିଦିନ ମଧ୍ୟରେ ପଇଠ କରି ଦିଆଯିବ । ମଣ୍ଡିଠାରେ ୨୧ଟି ଲଘୁ ବନଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟର ସୂଚନା ଫ୍ଲେକ୍ସ ଆକାରରେ ଟଙ୍ଗା ଯାଇଥିଲା ଓ ପରିପତ୍ର ଆକାରରେ ବଣ୍ଟା ଯାଇଥିଲା । ଚକ,ଡିମ୍ବୋ,ଗୁହାଳଚଟୁଆ,ବଡମନୋହରପୁର,ଲୁଣଝରଣ ଗ୍ରାମରୁ ପ୍ରଥମ ଦିନରେ ସରଗୀ ମଞ୍ଜି ନୂତନ ମଣ୍ଡିଠାରେ କ୍ରୟ କରାଯାଇଥିଲା । ବନଧନ ବିକାଶ କେନ୍ଦ୍ରର କନସଲଟାଣ୍ଟ ଦୀପ୍ତିରଞ୍ଜନ ମହାକୁଡ ରେକର୍ଡ ପତ୍ରରେ ସ୍ୱଚ୍ଛତା ରଖିବା ପାଇଁ ବୁଝାଇଥିଲେ । ସିନ୍ଦୁରଗୌରୀ ବନଧନ ବିକାଶ କେନ୍ଦ୍ରର ସଭାପତି ସବିତା ନାୟକ ସଭା ପରିଚାଳନା କରିଥିଲେ ଓ ସଂପାଦିକା କଳ୍ପନା ନାୟକ ସ୍ୱାଗତ ଜଣାଇଥିଲେ । ସଭାରେ ୬୦ ରୁ ଉର୍ଦ୍ଧ୍ବ ଆଦିବାସୀ ମହିଳା ଉପସ୍ଥିତ ଥିଲେ ।