ତତକାଳ ଟିକେଟ ନାମରେ ଲୁଟ୍ : ଜୁନାଗଡ଼ ରେଳ ଷ୍ଟେସନରେ ଦଳାଲ ରାଜ
ଜୁନାଗଡ଼,୨/୩(ସୂରଜ ଜୟସୱାଲ): ଜୁନାଗଡ଼ ରେଳୱେ ଷ୍ଟେସନ ରେ ଦୀର୍ଘଦିନ ଧରି ଚାଲିଥିବା ତତକାଳ ଟିକେଟ ଦଳାଲଗିରି ଏବେ ଗୁରୁତର ଆକାର ନେଇଛି। ଏହି ଅବୈଧ କାର୍ଯ୍ୟରେ ଷ୍ଟେସନର କିଛି ଗାର୍ଡ ଓ ସଫେଇ କର୍ମଚାରୀ ସିଧାସଳଖ ଭାବେ ଜଡିତ ଥିବା ଗୁରୁତର ଅଭିଯୋଗ ଉଠିଛି। ଅଭିଯୋଗ ଅନୁସାରେ, କାଲି ପାଇଁ ତତକାଳ ଟିକେଟ ନେବାକୁ ଚାହୁଁଥିବା ଯାତ୍ରୀମାନଙ୍କୁ ଦିନେ ଆଗରୁ, ରାତି ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଷ୍ଟେସନରେ ରଖାଯାଇଥିବା ଗୋଟିଏ କାଗଜରେ ନାମ ଲେଖିବାକୁ ପଡ଼ୁଛି। ସେହି ତାଲିକା ଅନୁସାରେ ପରେ ତତକାଳ ଟିକେଟ ଫର୍ମ ବଣ୍ଟନ କରାଯାଉଛି। କିନ୍ତୁ ଗୁରୁତର ଅଭିଯୋଗ ହେଉଛି ଯେ, ରାତି ୧୨ଟା ସମୟରେ ରାୟପୁର ଯାଉଥିବା ଟ୍ରେନ ସଫା କାମରେ ଲାଗିଥିବା କିଛି ସଫେଇ କର୍ମଚାରୀ ଓ ଗାର୍ଡ ମାନେ ଏହି ସୁଯୋଗରେ ଆଗୁଆ ଭାବେ କାଗଜରେ ନାମ ଲେଖି ରଖୁଛନ୍ତି। ଯେଉଁମାନଙ୍କ ଠାରୁ ଅର୍ଥ ନେଇଥାନ୍ତି, ସେମାନଙ୍କ ନାମ ଆଗରୁ ତାଲିକାରେ ଭରାଯାଉଛି। ଏହାର ଫଳରେ,ସାଧାରଣ ଯାତ୍ରୀମାନେ ଯେଉଁମାନେ ସାରା ରାତି ଷ୍ଟେସନରେ ରହି ଜରୁରୀ କାର୍ଯ୍ୟରେ ଟିକେଟ ନେବାକୁ ଆସୁଛନ୍ତି, ସେମାନେ ତତକାଳ ଟିକେଟରୁ ବଞ୍ଚିତ ହେଉଛନ୍ତି। ବିଶେଷକରି ଆପାତକାଳୀନ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ଗଭୀର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି ଗୁରୁତର ଅଭିଯୋଗ ସତ୍ୱେ ମଧ୍ୟ ଷ୍ଟେସନ ମାଷ୍ଟରଙ୍କ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଇନଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ସେହିପରି ରେଳ ଯାତ୍ରୀ ସଂଘ ମଧ୍ୟ ଏହି ମାମଲାରେ ନିରବ ରହିବା ପ୍ରଶ୍ନ ଉଠାଇଛି। ସଚେତନ ନାଗରିକ ଓ ଯାତ୍ରୀମାନେ ଏହି ତତକାଳ ଟିକେଟ ଦଳାଲଗିରି ଉପରେ ଉଚ୍ଚସ୍ତରୀୟ ତଦନ୍ତ ସହ ଜଡିତ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।
