ଧାରଣାରୁ ଉଠିଲେ ପିଇଓ,ଏଡିଇଓ
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ସଦର : ‘ଆବାସ’ ପାଇଁ ଅଧିକାରୀଙ୍କୁ ମନ୍ତ୍ରୀ ଓ ଦଳୀୟକର୍ମୀ ଦୁବ୍ୟବହାର କରିବା ଘଟଣାରେ ଧାରଣାରେ ବସିଥିବା ସଦର ବ୍ଳକ୍ର ପିଇଓ,ଏଡିଇଓ ବୁଧବାର ଧାରଣାରୁ ଉଠିଛନ୍ତି। ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ସମସ୍ତ ଦାବିକୁ ପ୍ରଶାସନ ସହୃଦୟତାର ସହ ଗ୍ରହଣ କରିଥିବାରୁ କଲମଛାଡ଼ ତଥା ଗଣଧାରଣା ସ୍ଥଗିତ ହୋଇଥିବା ସଂଘ ପକ୍ଷରୁ କୁହାଯାଇଛି। ପିଇଓଙ୍କୁ ଦୁର୍ବ୍ଯବହାର ଘଟଣାରେ ନ୍ୟାୟ ଦାବି କରି ମଙ୍ଗଳବାରଠାରୁ ବ୍ଳକ୍ କାର୍ଯ୍ୟାଳୟ ପରିସରରେ ବ୍ଲକ୍ର ସମସ୍ତ ପିଇଓ,ଏଡିଇଓ କଲମଛାଡ଼ କରି ଗଣଧାରଣାରେ ବସିଥିଲେ। ସରକାରୀ କର୍ମଚାରୀଙ୍କ ସମ୍ମାନର ସୁରକ୍ଷା,କର୍ମ କ୍ଷେତ୍ରରେ ରାଜନୈତିକ ଚାପର ଦୂରୀକରଣ,ମିଥ୍ୟାରୋପ ଉପରେ ସଠିକ୍ ତଦନ୍ତ,ମହିଳା ପିଇଓଙ୍କୁ ଅସମ୍ମାନ କରିଥିବା ଦଳୀୟ କର୍ମୀ କ୍ଷମା ପ୍ରାର୍ଥନା କରିବା ଭଳି ୪ ଦଫା ଦାବି ନେଇ ଧାରଣାରେ ବସିଥିଲେ। ମଙ୍ଗଳବାର ଅପରାହ୍ଣରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ସ୍ଥଗିତ ଚନ୍ଦ୍ର ସେଠୀ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିପ୍ତିରଞ୍ଜନ ସେଠୀଙ୍କ ସହ ଆଲୋଚନା ହୋଇଥିଲେ ବି କୌଣସି ସୁଫଳ ମିଳିନଥିଲା। ବୁଧବାର ପୁଣି ଧାରଣା ଜାରି ରହିବ ବୋଲି କୁହାଯାଇଥିଲା। ଆଜି ସକାଳୁ ପୁଣି ପ୍ରଶାସନ ସହ ଆଲୋଚନା ହୋଇଥିଲା। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ
ଅଧିକାରୀ ଶ୍ରୀ ସେଠୀଙ୍କ ସହ ଆଲୋଚନା କରିଥିଲେ। ଛୁଟିରେ ଥିବା ସଦର ବିଡିଓ ରାହୁଲ ମଣ୍ଡଳ ଆଜି କାର୍ଯ୍ୟରେ ଯୋଗଦେଇଥିବା ବେଳେ ତାଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା। ଶେଷରେ ଆଜିଠାରୁ ଧାରଣା ସ୍ଥଗିତ ହେଲା ବୋଲି ପିଇଓ,ଏଡିଇଓ ପ୍ରମୁଖ ଲେଖି ଜଣାଇଥିଲେ। ଏନେଇ ପିଇଓ ସଂଘ ସଭାପତି ଶଶଧର ସାମଲ କହିଛନ୍ତି,ବିଭିନ୍ନ ଦାବି ନେଇ ଧାରଣା ଦିଆଯାଇଥିଲା। ପ୍ରଶାସନ ସହ ଆଲୋଚନା ପରେ ଧାରଣା ସ୍ଥଗିତ ରହିଛି। ଗୁରୁବାର ଠାରୁ ପିଇଓ,ଏଡିଇଓ କାର୍ଯ୍ୟରେ ଯୋଗଦେବେ ବୋଲି ଶ୍ରୀ ସାମଲ କହିଛନ୍ତି। ସୂଚନାଯୋଗ୍ୟ,କାଇମାଟି ପଞ୍ଚାୟତର ପିଇଓଙ୍କ ବିରୋଧରେ ଦୋଷାରୋପ କରି ପଞ୍ଚାୟତର ରାଜନୈତିକ କର୍ମୀ ଗତ ୩୦ ତାରିଖ ସନ୍ଧ୍ୟାରେ ପଞ୍ଚାୟତକୁ ଡାକି ସର୍ବସମ୍ମୁଖରେ ଦୁର୍ନୀତି କରି ଲାଞ୍ଚ ନେଇଛ ବୋଲି ଅପମାନିତ କରିଥିଲେ। ଏହି ଘଟଣାରେ ୩୧ ତାରିଖରେ ଯୋଗଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର,ସଦର ବିଡିଓ ରାହୁଲ ମଣ୍ଡଳ,ପିଇଓ ଏବଂ ରାଜନୈତିକ କର୍ମୀଙ୍କ ଉପସ୍ଥିତିରେ ଅଭିଯୋଗ ଗୁଡ଼ିକ ଉପରେ ପ୍ରାକ୍ ତଦନ୍ତ କରାଯାଇଥିଲା। ଏହି ସମୟରେ ମଧ୍ୟ ମନ୍ତ୍ରୀ ବିଡିଓ ଓ ପିଇଓଙ୍କୁ ତାଗିଦ୍ କରି ବିଭିନ୍ନ କଥା କହିଥିଲେ। ଏହି ସମୟରେ ମନ୍ତ୍ରୀଙ୍କ ସହ ଥିବା ଦଳୀୟ କର୍ମକର୍ତ୍ତା ମଧ୍ୟ ଖରାପ କଥା କହିଥିଲେ। ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କର୍ମଚାରୀମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ମଙ୍ଗଳବାର କଲମଛାଡ଼ ଆନ୍ଦୋଳନ କରିଥିଲେ।
