ସୋର ପୋଲିସକୁ ମିଳିଲା ବଡ଼ ସଫଳତା : କୋର୍ଟରୁ ଚୋରି ଘଟଣାର ମାଷ୍ଟର ମାଇଣ୍ଡ ଗିରଫ ।
ସୋର(ଜ୍ୟୋତିପ୍ରକାଶ, ଭଞ୍ଜଦୂତ, ନିପ୍ର) : ସୋରରେ ନୂତନ ଥାନାଧିକାରୀ ଭାବେ ମୁକୁନ୍ଦ ମୁରାରି ପାତ୍ର ଯୋଗ ଦେଉ ଦେଉ କୋର୍ଟରୁ ଚୋରି ଘଟଣା, ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ମାତ୍ର ଉକ୍ତ କୋର୍ଟ ଚୋରି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ସୋର ପୁଲିସ। ଗିରଫ ଅଭିଯୁକ୍ତ ହେଲେ ସୋର ଥାନା ଗୋପିନାଥପୁର ପଞ୍ଚାୟତ ରଘୁନାଥପୁର ଗ୍ରାମର ପ୍ରଭାତ ଦାସ (୨୪) । ପୁଲିସର ସୂଚନା ମୁତାବକ; ଗତ ନଭେମ୍ବର ମାସ ୨ ତାରିଖରେ ସୋର କୋର୍ଟର ମାଲ୍ଖାନାରୁ ବଡ଼ ଧରଣର ଚୋରି ହୋଇଥିଲା । ନଭେମ୍ବର ମାସ ୧୯ ତାରିଖରେ ଏହି ଘଟଣାରେ ସମ୍ପୃକ୍ତ ଜଣେ ମହିଳା, ୩ ଜଣ ଗହଣା ବ୍ୟବସାୟୀଙ୍କ ସମେତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ ସେମାନଙ୍କ ନିକଟରୁ ୨ଟି ବାଇକ, ୮୦ ଗ୍ରାମ ସୁନା, ୨୫ ଗ୍ରାମ ରୁପା, ଏକ ବନ୍ଧୁକ, ୨୫ଟି ଗୁଳି ଓ ନଗଦ ୧୮ ହଜାର ଟଙ୍କା ଜବତ କରାଯାଇଥିଲା। ପରେ ୨୦ ତାରିଖରେ ୫୦୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ଅନ୍ୟ ୩ ଜଣଙ୍କୁ ଗିରଫ କରାଯାଇଥିଲା | ତେବେ ମୁଖ୍ୟ ଅଭିଯୁକ୍ତ ପ୍ରଭାତ ଫେରାର ଥିଲା। ଗତକାଲି ରାତିରେ କୌଣସି ସୁତ୍ରରୁ ଖବର ପାଇ ସୋର ଥାନାଧିକାରୀ ମୁକୁନ୍ଦ ମୁରାରୀ ପାତ୍ର ଏକ ଟିମ ସହ ପ୍ରଭାତ ଙ୍କ ଘରେ ଚଢ଼ାଉ କରି ତାକୁ ଗିରଫ କରିଥିଲେ |
