**ପାଲଲହଡ଼ାରୁ ବଡ଼ ଖବର ।**
**ପରାଛାଟ ଗ୍ରାମ ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟରେ ଅନିୟମିତତା ଓ ସରକାରୀ ଅର୍ଥ ହଡ଼ପ ଅଭିଯୋଗ ।**
ପାଲଲହଡ଼ା ବ୍ଲକ ଅନ୍ତର୍ଗତ ବରକଳାପାଳ ଓ ଗୋଦରାମୁଣ୍ଡା ଗ୍ରାମର ଗ୍ରାମବାସୀମାନେ ପରାଛାଟ ଗ୍ରାମ ପଞ୍ଚାୟତର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଅନିୟମିତତା ଏବଂ ସରକାରୀ ଅର୍ଥର ଦୁରୁପଯୋଗ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ମନରେଗା, ଏସ୍ଏଫ୍ସି ଓ ସିଏଫ୍ସି ଭଳି ବିଭିନ୍ନ ସରକାରୀ ଯୋଜନାରେ ହୋଇଥିବା କାର୍ଯ୍ୟକୁ ନେଇ ଉଠିଛି ପ୍ରଶ୍ନ କେତେକ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଥିବା ବେଳେ ଆଉ କେତେକ କାର୍ଯ୍ୟ ଆଦୌ ହୋଇନଥିବା ଅଭିଯୋଗ ହୋଇଛି। ଏଥିସହ କିଛି ଜବ୍କାର୍ଡ ଓ ସୂଚନା ଫଳକକୁ ନେଇ ମଧ୍ୟ ଅନିୟମିତତା ହୋଇଥିବା ଗ୍ରାମବାସୀ ଦର୍ଶାଇଛନ୍ତି।
ବିଶେଷ କରି ୪ ଲକ୍ଷ ୯୧ ହଜାରରୁ ଅଧିକ ଟଙ୍କା ବ୍ଲକ୍ ହୋଇଥିବା ଏବଂ ବରକଳାପାଳ ଗ୍ରାମର ବିକାଶମୂଳକ କାର୍ଯ୍ୟ ପାଇଁ ୪ ଲକ୍ଷ ୬୦ ହଜାର ଟଙ୍କା ଆସିଥିବା ନେଇ ଉଲ୍ଲେଖ କରାଯାଇଛି। ତେବେ ଏହି ଅର୍ଥ କେଉଁ କାର୍ଯ୍ୟରେ ଏବଂ କିପରି ଖର୍ଚ୍ଚ ହୋଇଛି, ତାହାର ସଠିକ୍ ତଦନ୍ତ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।
ଏହି ସମସ୍ତ ଅଭିଯୋଗକୁ ନେଇ ଗ୍ରାମବାସୀମାନେ ପାଲଲହଡ଼ା ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିବା ସହ ଦୋଷୀଙ୍କ ବିରୋଧରେ ଉଚିତ୍ ତଦନ୍ତ ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅନ୍ୟପଟେ, ଆସନ୍ତା ୭ରୁ ୧୦ ଦିନ ମଧ୍ୟରେ ଯଦି ଏହି ଅଭିଯୋଗର ଉପଯୁକ୍ତ ତଦନ୍ତ କରାନଯାଏ, ତେବେ ଦୁର୍ନୀତି ବିରୋଧୀ ପଦଯାତ୍ରା ଏବଂ ଅନଶନ କରିବାକୁ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।
**ତେବେ ଏଠାରେ ବଡ଼ ପ୍ରଶ୍ନ ଉଠୁଛି, ଗ୍ରାମବାସୀଙ୍କ ଏହି ଅଭିଯୋଗ ଉପରେ ପ୍ରଶାସନ କେବେ ନେବ ପଦକ୍ଷେପ? ହେବ କି ନିରପେକ୍ଷ ତଦନ୍ତ? ସାମ୍ନାକୁ ଆସିବ କି ସମ୍ପୂର୍ଣ୍ଣ ସତ୍ୟ?**
ଏବେ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ।
