ଥାନାଧିକାରୀଙ୍କୁ ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ହସ୍ପିଟାଲରୁ ଡିସଚାର୍ଜ,ଗିରଫ ପରେ କୋର୍ଟ ଚାଲାଣ
ସୋର(ନିପ୍ର, ଭଞ୍ଜଦୂତ):ସୋର ପୌର ପାଳିକା ଅନ୍ତର୍ଗତ କୋର୍ଟ ସମ୍ମୁଖରେ ଗତ ରବିବାର ରାତିରେ ସୋର ଥାନାଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ସୋର ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ରବିବାର ରାତିରେ ଏସିଆ କପ ଫାଇନାଲ ମ୍ୟାଚ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ବେଳେ କୋର୍ଟ ସମ୍ମୁଖ ତାରିଣୀ ମନ୍ଦିର ସମ୍ମୁଖରେ ରାସ୍ତା ଅବରୋଧ କରି ନିର୍ଦ୍ଧିଷ୍ଟ ଏକ କ୍ଲବର ଯୁବକ ମାନେ ଏଲଇଡି ଲଗାଇ ମ୍ୟାଚର ସିଧା ପ୍ରସାରଣ କରୁଥିଲେ।ଏହି ସମୟରେ ସୋର ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ପେଟ୍ରୋଲିଂ କରୁଥିବା ବେଳେ ସେଠାରେ ପହଞ୍ଚି ରାସ୍ତା ଅବରୋଧ ହୋଇଥିବାରୁ ସମ୍ପୃକ୍ତ ଯୁବକ ମାନଙ୍କୁ ପ୍ରଶ୍ନ କରିଥିଲେ ଏବଂ ଥାନାଧିକାରୀ ନିଜ ମୋବାଇଲରେ ଘଟଣାକୁ ରେକଡିଂ କରିଥିଲେ। ଏହି ସମୟରେ ଖଣ୍ଡାସାହି ଗ୍ରାମର ଜୟନ୍ତ ମହାଳିକ (୫୦) ତାଙ୍କ ମୋବାଇଲକୁ ଆଣି ଥାନାଧିକାରୀଙ୍କ ମୁଁହ ନିକଟରେ ଦେଖାଇବାରୁ ଥାନାଧିକାରୀ ଶ୍ରୀ ସାହୁ ତାଙ୍କ ହାତକୁ ଠେଲି ଦେବା ଫଳରେ ଯୁବକଙ୍କ ହାତରୁ ମୋବାଇଲଟି ଗଳି ପଡିଥିଲା।ଏଥିରେ ଉତକ୍ଷିପ୍ତ ହୋଇ ଜୟନ୍ତ ଥାନାଧିକାରୀଙ୍କୁ ମାଡ଼ ମାରିବା ପରେ ଉପସ୍ଥିତ ଥିବା କିଛି ଯୁବକ ଥାନାଧିକାରୀ ଏବଂ ଏଏସଆଇ ସମୀର ବେହେରାଙ୍କୁ ଆକ୍ରମଣ କରିଥିଲେ। ଫଳରେ ସମୀର ବେହେରା ଗୁରୁତ୍ତର ଆହତ ହେବା ସହିତ ଥାନାଧିକାରୀ ସୁଦୀପ୍ତ ସାହୁ ଆହତ ହୋଇଥିଲେ।ଏହା ପରେ ପୁଲିସ ଆକ୍ରମଣ କାରୀ ବ୍ୟକ୍ତି ଜୟନ୍ତକୁ ଉଠାଇ ଆଣି ସେ ଅସୁସ୍ଥ ହୋଇ ପଡିବାରୁ ତାକୁ ମେଡିକାଲରେ ଭର୍ତ୍ତି କରିଥିଲେ। ଏ ବାବଦରେ ପୁଲିସ ୭୯୧/୨୫ ରେ ଏକ ମାମଲା ରୁଜ୍ଜୁ କରି ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ଜୟନ୍ତ ଗତକାଲି ମେଡିକାଲକୁ ଡ଼ିସଚାର୍ଜ ହେବା ପରେ ପୁଲିସ ତାକୁ ଗିରଫ କରି ଥାନାକୁ ଆଣିଥିଲା। ଆଜି ଅପରାହ୍ନରେ ସୋର ମେଡ଼ିକାଲରେ ତାର ଡାକ୍ତରୀ ମାଇନା ପରେ ପୁଲିସ ତାକୁ କୋର୍ଟ ଚାଲାଣ କରିଛି।
