ଡିଜେକୁ ଦୂରେଇ ସଂକୀର୍ତ୍ତନରେ ଗଣେଶ ଭସାଣି
ମହିଳାଙ୍କ ଜୟଗାନରେ ଗୁଞ୍ଜରିତ ହେଲା ସିନାପାଲି ସହର, ଶାନ୍ତି ଓ ଭକ୍ତିର ବାର୍ତ୍ତା ଦେଲା ଶୋଭାଯାତ୍ରା
ସିନାପାଲି, ୧୮/୯ (ଧର୍ମେନ୍ଦ୍ର କୁମାର ଗହିର): ନା ଥିଲା ଡିଜେର କର୍କଶ ଶବ୍ଦ, ନା ଥିଲା ଉଚ୍ଚଶବ୍ଦର ସାଉଣ୍ଡ ସିଷ୍ଟମ୍। ଚାରିଆଡ଼େ ଶୁଭୁଥିଲା ଭକ୍ତି ଓ ସଂକୀର୍ତ୍ତନର ସ୍ୱର। ମହିଳାଙ୍କ ଜୟଗାନ ଓ ଭକ୍ତମାନଙ୍କ ହରିନାମ ସଂକୀର୍ତ୍ତନରେ ମୁଖରିତ ହୋଇଥିଲା ସିନାପାଲି ସହର। ଏଭଳି ଏକ ନିଆରା ଢଙ୍ଗରେ ଗଣେଶଙ୍କ ଭସାଣି ଶୋଭାଯାତ୍ରା ଆୟୋଜନ କରି ଚର୍ଚ୍ଚାରେ ରହିଛି ନୂଆପଡା ଜିଲ୍ଲା ସିନାପାଲି ସା’ପଡ଼ା ଗଣେଶ ପୂଜା କମିଟି ତଥା ମା’ କର୍ମାଦେବୀ ୟୁଥ୍ କ୍ଲବ। ଡିଜେ ଓ ଉଚ୍ଚଶବ୍ଦର ସାଉଣ୍ଡକୁ ପରିହାର କରି କମିଟି ପକ୍ଷରୁ ଭକ୍ତି, ସଂକୀର୍ତ୍ତନ ଓ ସାମାଜିକ ସଦ୍ଭାବକୁ ଗୁରୁତ୍ୱ ଦିଆଯାଇଥିଲା। ଶୋଭାଯାତ୍ରାରେ ପଡ଼ାର ମହିଳାମାନେ ବହୁ ସଂଖ୍ୟାରେ ସାମିଲ ହୋଇ ଜୟଗାନ କରିଥିଲେ। ବୟସ୍କଙ୍କଠାରୁ ଆରମ୍ଭ କରି ଶିଶୁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପସ୍ଥିତିରେ ପରିବେଶ ହୋଇଉଠିଥିଲା ଭକ୍ତିମୟ।
ଏହି ଅବସରରେ ଖଳନାରୁ ଆସିଥିବା ମହିଳା ସଂକୀର୍ତ୍ତନ ଦଳଙ୍କ ଆଧ୍ୟାତ୍ମିକ ପରିବେଷଣ ଶୋଭାଯାତ୍ରାର ଆକର୍ଷଣ ବଢ଼ାଇଥିଲା। ସଂକୀର୍ତ୍ତନର ତାଳେ ତାଳେ ଭକ୍ତମାନେ ଗଣପତିଙ୍କ ଜୟଗାନ କରି ସହର ପରିକ୍ରମା କରିଥିଲେ। ଉଚ୍ଚଶବ୍ଦ ଓ ଡିଜେ ବିନା ମଧ୍ୟ ଏକ ଧାର୍ମିକ ଉତ୍ସବକୁ ଆନନ୍ଦ, ଉତ୍ସାହ ଓ ଭକ୍ତିର ସହ ପାଳନ କରାଯାଇପାରେ ବୋଲି ଏହି ଶୋଭାଯାତ୍ରା ବାର୍ତ୍ତା ଦେଇଥିଲା। ଶବ୍ଦ ପ୍ରଦୂଷଣକୁ ଏଡ଼ାଇ ଶାନ୍ତିପୂର୍ଣ୍ଣ ଭାବେ ଉତ୍ସବ ପାଳନର ଏହି ପ୍ରୟାସକୁ ଅଞ୍ଚଳବାସୀ ସ୍ୱାଗତ କରିଥିଲେ।
କାର୍ଯ୍ୟକ୍ରମରେ କ୍ଲବ ସଭାପତି ବିଦ୍ୟାଧର ସା, ସମ୍ପାଦକ ଯଶୋବନ୍ତ ସା, ଉପସଭାପତି ମିତ୍ରଭାନୁ ସାଙ୍କ ସମେତ ପୁରୁଷୋତ୍ତମ ସା, ଜିତେନ୍ଦ୍ର ସା, ପିତାମ୍ବର ପିଣ୍ଟୁ ସା ଓ ଅମର ସା ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ। ସୁବାସ ସା, ନାରାୟଣ ସା, ଅନାଦି ସା, ରୁପେଶ ସା, ରେବାଶଙ୍କର ସାଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
ଶେଷରେ ସମଗ୍ର ନଗର ପରିକ୍ରମା ପରେ ଭକ୍ତିମୟ ପରିବେଶରେ ଗଣେଶଙ୍କ ଭସାଣି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଡିଜେ ବଦଳରେ ସଂକୀର୍ତ୍ତନକୁ ଆପଣାଇ ଆୟୋଜିତ ଏହି ଶୋଭାଯାତ୍ରା ସିନାପାଲିରେ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଥିଲା।
