ସୋର ପୋଲିସରର ମିଳିତ ଅପରେସନ:ବିପୁଳ ପରିମାଣର ବେଆଇନ ବାଣ ଜବତ, ଜଣେ ଗିରଫ
ସୋର(ଭଞ୍ଜଦୂତ, ନିପ୍ର): ସୋର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ବେଆଇନ ବାଣ ଜବତ କରାଯାଇଛି। ସୋର ପୋଲିସ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ମେଡିକାଲ ପାଖରେ ଥିବା ଏକ ବନ୍ଦ ହୋଟେଲ ଓ ନିକଟସ୍ଥ ଏକ କୁକୁଡ଼ା ଫାର୍ମରେ ମିଳିତ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ବାଣ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାନୁସାରେ ଗତ ବୁଧବାର ରାତିରେ ସଦର ଏସଡିପିଓ ଶୁଭ୍ରାଂଶୁ ନାୟକଙ୍କ ନେତୃତ୍ୱରେ ସୋର ଥାନାଧିକାରୀ ସୁଦୀପ୍ତ ସାହୁ ଏବଂ ଖନ୍ତାପଡ଼ା ଥାନାଧିକାରୀ ପ୍ରଫୁଲ୍ଲ ମଲ୍ଲିକ ମିଳିତ ଚଢ଼ାଉ କରି ବିପୁଳ ପରିମାଣରେ ବାଣ ଜବତ କରିବା ସହିତ ବାଣ ବ୍ୟବସାୟରେ ସମ୍ପୃକ୍ତ ଥିବା ଖନ୍ତାପଡ଼ା ଥାନା କୃଷ୍ଣପୁର ଗ୍ରାମର ଧୀରେନ୍ଦ୍ର ଉପାଧ୍ୟାୟଙ୍କୁ ଥାନାରେ ଅଟକ ରଖିଥିଲେ। ଏ ବାବଦରେ ସୋର ଥାନାରେ ୭୯୬/୨୫ ରେ ଏକ ମାମଲା ରୁଜ୍ଜୁ କରି ଧିରେନ୍ଦ୍ରକୁ ଗିରଫ କରି ସୋର ମେଡିକାଲରେ ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।
