*ପ୍ରାଣୀ ସମ୍ପଦ ବିକାଶ ପାଇଁ ନୂଆପଡ଼ାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା.-୨୦/୦୯:
ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରାଣୀ ସମ୍ପଦ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସୁଖେନ୍ଦୁ ରାୟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ଓ ଉପଲବ୍ଧି ସମ୍ପର୍କରେ ଜିଲ୍ଲାପାଳଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।
ଏଥିସହ ୨୧ତମ ପଶୁଧନ ଗଣନାର ଜିଲ୍ଲାସ୍ତରୀୟ ତଥ୍ୟ ମଧ୍ୟ ଉପସ୍ଥାପିତ ହୋଇଥିଲା। ଗଣନା ଅନୁଯାୟୀ, ଜିଲ୍ଲାରେ ୮୦,୩୨୮ଟି ଗୋରୁ (male cattle) ଓ ୩୪,୦୩୨ଟି ଗାଈ (female cattle)ଙ୍କୁ ମିଶାଇ ମୋଟ ୧,୧୪,୩୬୦ଟି ଗୋ-ସମ୍ପଦ ରହିଛି। ଏଥିରୁ ଗାଈ ତୁଳନାରେ ଗୋରୁ ସଂଖ୍ୟା ଅଧିକ ଥିବା ଜଣାପଡ଼ିଛି।ସେହିପରି ଜିଲ୍ଲାରେ ୪,୯୮୨ଟି ମଇଁଷି, ୩୫,୯୫୫ଟି ମେଣ୍ଢା, ୧,୦୧,୯୨୭ଟି ଛେଳି, ୩୫୩ଟି ଘୁଷୁରି ଓ ୪୫୧ଟି କୁକୁର ଥିବା ଗଣନାରୁ ଜଣାପଡ଼ିଛି।
ଏହି ଅବସରରେ ବିଭିନ୍ନ ପ୍ରାଣୀ ପାଳନ ଯୋଜନାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଗ୍ରଣୀ ପ୍ରାଣୀ ପାଳକମାନଙ୍କୁ ଜିଲ୍ଲାପାଳ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ୩୦୦୦ କୁକୁଡ଼ା ପାଳନ ଯୋଜନାରେ ସିନାପାଲି ବ୍ଲକ୍ର ଫିରୋଜା ବେଗମ ଏବଂ ଗୋପାଳନ ଯୋଜନାରେ ବୋଡ଼େନ ବ୍ଲକ୍ର ଉଦେଲାଲ ବାଗଙ୍କୁ ସମ୍ମାନିତ କରାଯାଇଥିଲା।
ସେହିପରି ୩୦+୨ ମେଣ୍ଢା ପାଳନ ଯୋଜନାରେ କୋମନା ବ୍ଲକ୍ର ଶ୍ରୀମତୀ ହିରାବତୀ ପୁଞ୍ଜି, ଗୋପାଳନ ଯୋଜନାରେ ନୂଆପଡ଼ା ବ୍ଲକ୍ର ଶ୍ରୀ ଅଶୋକ କୁମାର ସାହୁ ଏବଂ କୁକୁଡ଼ା ପାଳନ ଯୋଜନାରେ ଖରିଆର ବ୍ଲକ୍ର ଶ୍ରୀମତୀ କମଳିନୀ ଜଗତଙ୍କୁ ମଧ୍ୟ ଜିଲ୍ଲାପାଳ ସମ୍ମାନିତ କରିଥିଲେ।
ବୈଠକରେ ଜିଲ୍ଲାପାଳ ଗୃହପାଳିତ ପ୍ରାଣୀମାନଙ୍କର ବୀମାକରଣ ଓ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏଥିସହ ଉନ୍ନତ ପ୍ରଣାଳୀରେ ଘାସ ଚାଷ କରି ପ୍ରାଣୀମାନଙ୍କୁ ପୌଷ୍ଟିକ ଖାଦ୍ୟ ଯୋଗାଇବା, ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ଏବଂ ପ୍ରାଣୀ ପାଳନକୁ ଅଧିକ ଲାଭଜନକ କରି ଜିଲ୍ଲାର ପ୍ରାଣୀ ପାଳକମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଅଧିକ ଗୁରୁତ୍ୱ ଦେବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ସମସ୍ତ ବ୍ଲକ୍ର ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀ ଚିକିତ୍ସକ ଓ ସମ୍ମାନିତ ପ୍ରାଣୀ ପାଳକମାନେ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ ବୈଠକ ସମାପ୍ତ ହୋଇଥିଲା।
