ଗୁଡ଼ କେଶଗଡ଼ିଆରେ ଶହୀଦ ଦିବାକର ସ୍ମୃତି ସ୍ତମ୍ଭ ଲୋକାର୍ପିତ
ସୋର(ଭଞ୍ଜଦୂତ, ନିପ୍ର, ଜ୍ୟୋତି ପ୍ରକାଶ): ୧୯୪୨ମସିହା ସେପ୍ଟେମ୍ବର ୨୮ତାରିଖ ଦିନରେ ରକ୍ତ ତୀର୍ଥ ଇରମରେ ଇଂରେଜ ମାନଙ୍କ ଦ୍ୱାରା ଗୁଳିକାଣ୍ଡ ହୋଇଥିଲା। ଏହି ଘଟଣାରେ ସମୁଦାୟ ୨୯ ଜଣ ଶହୀଦ ହୋଇଥିଲେ। ସେମାନଙ୍କ ମଧ୍ୟରୁ ସୋର ବ୍ଲକ ଗୁଡ଼ ଗ୍ରାମ ପଞ୍ଚାୟତର କେଶଗଡ଼ିଆରୁ ଦିବାକର ପାଣିଗ୍ରାହୀ ଶହୀଦ ହୋଇଥିଲେ। ବହୁଦିନର ଦାବି ପରେ ଇରମରେ ଥିବା ଶହୀଦ ସ୍ମୃତି ସ୍ତମ୍ଭ ଭଳି କେଶଗଡ଼ିଆରେ ଏକ ସ୍ମୃତି ସ୍ତମ୍ଭ ଆଜି ସୋର ବିଧାୟକ ଶ୍ରୀଯୁକ୍ତ ମାଧବ ଧଡ଼ାଙ୍କ ଦ୍ୱାରା ଲୋକାର୍ପିତ ହୋଇଛି। ଏହି ଅବସରରେ ଆଜି ସକାଳେ ବାଲିଛନ୍ଦା ଘାଟ ସ୍ଥିତ କାଂଶବାଂଶ ନଦୀରେ ତିଳତର୍ପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ସୋରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମାଧବ ଧଡ଼ା ଯୋଗ ଦେଇଥିଲେ। ବରେଣ୍ୟ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ଥିବାବେଳେ ଗୁଡ଼ ପଞ୍ଚାୟତର ସରପଞ୍ଚ ବାସନ୍ତୀ ପଣ୍ଡା ସଭାପତିତ୍ୱ କରିଥିଲେ। ମୁଖ୍ୟବକ୍ତା ସର୍ବେଶ୍ୱର ଦାଶ ଓ ସହବକ୍ତା ଭାଗିରଥି ମହାନ୍ତି,ସମ୍ମାନିତ ଅତିଥି ଭାବେ ତାଙ୍କର ଅଭିଭାଷଣ ରଖିଥିଲେ। ସମ୍ମାନିତ ଅତିଥି ଭାବେ ୪୫ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଜୟରାମ ଦାସ, ସୋର ତହସିଲଦାର ଦୈତାରୀ ମଲିକ, ସୋର ବ୍ଲକ ଅଧ୍ୟକ୍ଷା ଅନୁସୟା ମଳିକ, କାଂଶବାଂଶ ମହୋତ୍ସବ କମିଟିର ସଭାପତି ନିତ୍ୟାନନ୍ଦ କର,ନିଖିଳ ଉତ୍କଳ ପ୍ରବକ୍ତା ସଂଘର ସଭାପତି ଶ୍ରୀଯୁକ୍ତ ବଂଶୀଧର ପଣ୍ଡା,ଶହୀଦ ଦିବାକର ସ୍ମୃତି ସଂସଦର ସଭାପତି ଅବଧୂତ ବନ୍ଧ ଓ ସମ୍ପାଦକ ଉମାଶଙ୍କର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଦ୍ୱିତୀୟ ଜାଲିୱାନାୱଲାବାଗ କୁହାଯାଉଥିବା ଇରମ ଗୁଳିକାଣ୍ଡ ଓ ଶହୀଦ ଦିବାକର ପାଣିଗ୍ରାହୀଙ୍କ ବିଷୟରେ ନିଜର ଅଭିମତ ରଖିଥିଲେ।
