କବିବର ସ୍ମୃତି ପରିଷଦର କବିବର ସ୍ମୃତି ପର୍ବ-୨୦୨୫ ଅନୁଷ୍ଠିତ
ସୋର(ଜ୍ୟୋତିପ୍ରକାଶ, ନିପ୍ର, ଭଞ୍ଜଦୂତ):ସୋରରେ ନୂଆ କରି ଗଢ଼ି ଉଠିଥିବା କବିବର ସ୍ମୃତି ପରିଷଦ ଆନୁକୁଲ୍ୟରେ ଦିବସ ବ୍ୟାପୀ କବିବର ସ୍ମୃତି ପର୍ବ-୨୦୨୫ ଓମ୍ ସାଇ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସୋର ବିଧାୟକ ମାଧବ ଧଡ଼ା ପ୍ରଥମ ଅଧିବେଶନ ‘ଯୁବ ସମ୍ମିଳନୀ’କୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ। ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ ବିଶିଷ୍ଟ ସାହିତିକ ବିଜୟ ମହାନ୍ତି ଓ ଏହି ଅଧିବେଶନର ଆଭିମୁଖ୍ୟ ଥିଲା ଯୁବପୀଢ଼ିଙ୍କ ମଧ୍ୟରେ ଉତ୍ସାହ ଓ ଆତ୍ମବିଶ୍ୱାସ ଉଜାଗର କରିବା। ବିଶିଷ୍ଟ ସମାଜସେବୀ ଶ୍ରୁତି ମହାପାତ୍ର ଉପସ୍ଥିତ ଯୁବବର୍ଗଙ୍କୁ ନିଜର ପ୍ରେରଣାଦାୟୀ ଜୀବନ କାହାଣୀ ଆଭାସୀ ମାଧ୍ୟମରେ ଜଣାଇଥିଲେ। ସୁଶ୍ରୀ ମହାପାତ୍ରଙ୍କର ସାକ୍ଷାତକାର ନେଇଥିଲେ ପରିଷଦର ଆବାହକ ଜୟରାମ ଦାସ । ଅନ୍ୟତମ ପ୍ରେରଣାଦାୟୀ ଯୁବ ପ୍ରତିଭା ତଥା ଅଲମ୍ପିଆନ୍ ଦୂତୀ ଚାନ୍ଦ ଯୁବବର୍ଗଙ୍କୁ ଉତ୍ସାହିତ କରିବା ସହ ଜୀବନରେ କେବେ ହାରି ନ ଯିବାକୁ ପରାମର୍ଶ ଦେଇଥିଲେ। ସୁଶ୍ରୀ ଚାନ୍ଦଙ୍କ ସାକ୍ଷାତକାର ନେଇଥିଲେ ମିନତୀ କର । ଏହି ଅଧିବେଶନରେ ମଞ୍ଚ ପରିଚାଳନା କରିଥିଲେ ଚିତ୍ତରଞ୍ଜନ ଦାସ ଓ ଧନ୍ୟବାଦ ଦେଇଥିଲେ ତୁଷାର ଧଡ଼ା । ବିଶିଷ୍ଟ ସଂଗ୍ରାହକ ତଥା ବାଇ ଚଢ଼େଇ ଶିଶୁ ପତ୍ରିକାର ସମ୍ପାଦକ ବିକାଶ ଶତପଥୀ ଦ୍ୱିତୀୟ ଅଧିବେଶନକୁ ଉଦ୍ଘାଟନ କରିଥିଲେ। ଶିଶୁ ଲେଖକ ବିନମ୍ର ଶତପଥୀ ଶିଶୁ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅଧିବେଶନ ଏକ ଗଳ୍ପ କଥନ ଉତ୍ସବ ଥିଲା। ଉତ୍ସବ ଆରମ୍ଭରେ ଅନ୍ତର୍ଜାତିକ ଖ୍ୟାତି ସମ୍ପନ ଗଳ୍ପ କଥକ ଲିପିକା ମହାନ୍ତି ଉପସ୍ଥିତ ଶିଶୁ ଶ୍ରୋତାଙ୍କୁ ମୂଲ୍ୟବୋଧ ଭିତ୍ତିକ ଗଳ୍ପ ଶୁଣାଇଥିଲେ । ଅନ୍ୟତମ ଗଳ୍ପ କଥକ ପ୍ରତିଭାଶ୍ରୀର ମୁଖ୍ୟ କବି ପ୍ରଶାନ୍ତ ଦାସ ଗଳ୍ପ ମାଧ୍ୟମରେ ପିଲାଙ୍କୁହସର ଖୋରାକ ଯୋଗାଇଥିଲେ । ଏହି ଅଧିବେଶନରେ ମଞ୍ଚ ପରିଚାଳନା କରିଥିଲେ ଆରତି ଦାସ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଗୃହଲକ୍ଷ୍ମୀ ସାହୁ ଓ ଧନ୍ୟବାଦ ଜଣାଇଥିଲେ ଉମାକାନ୍ତ ବେହେରା। ବିଶିଷ୍ଠ ପ୍ରାବନ୍ଧିକ ମହେଶ୍ୱର ପାଢ଼ୀ ପୌରୋହିତ୍ୟରେ ଅନୁଷ୍ଠିତ କବିବର ସ୍ମୃତି ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଡ.କୃଷ୍ଣଚନ୍ଦ୍ର ବଳ ଯୋଗଦେଇ କହିଲେ ଯେ ଦୁଃଖ ଭିତରେ ଲୁଚି ରହିଥିବା ଅସଲ ସୌନ୍ଦର୍ଯ୍ୟକୁ ଉପସ୍ଥାପିତ କରିବାରେ ରାଧାନାଥଙ୍କ କାବ୍ୟ ସମଗ୍ର ଓଡ଼ିଆ ସାହିତ୍ୟରେ ସ୍ୱତନ୍ତ୍ର। ବିଶେଷକରି କିଟ, ବାଇରନ, ସେଲି, ଟେନିସନ, ଟୁଇନୱର୍ଣ୍ଣ ପ୍ରଭୃତିଙ୍କ କାବ୍ୟକୁ ଅନୁଶୀଳନ କରିବାର ପାଣ୍ଡିତ୍ୟଅର୍ଜନ କରିଥିଲେ ସେ, ପ୍ରାଚ୍ୟ କାବ୍ୟାଦର୍ଶରେ ଯେଉଁ ନୂତନଧାରା ସୃଷ୍ଟିକଲେ ତାହା ରେନେସାରେ ତାଙ୍କୁ ଜଣେ ଯୁଗାନ୍ତକାରୀ ସ୍ରଷ୍ଟା ପ୍ରତିପାଦିତ କରିଛି। ଅନ୍ୟତମ ବରେଣ୍ୟ ଅତିଥି ଭାବେ ସୁସାହିତ୍ୟିକ କାମେଶ୍ୱର ଶତପଥୀ କହିଲେ ଯେ ରାଧାନାଥଙ୍କ ପୂର୍ବଜ ପଙ୍ଗିମବଙ୍ଗରୁ ଆସିଥିଲେ ମଧ୍ୟ ଓଡ଼ିଶା ମାଟି ପାଣି ପବନ ସହିତ ନିଜକୁ ମିଶାଇ ଓଡ଼ିଶୀ ଓ ମହାଭାରତୀୟ ସଂସ୍କୃତିର ମହାମନ୍ତ୍ରରେ ଅଭିମନ୍ତ୍ରିତ କରି ତାର ସ୍ୱାତନ୍ତ୍ର ପ୍ରତିପାଦନ କରି ନିଜର ସାହିତ୍ୟରେ ଉଦ୍ୟମ କରିଥିଲେ, ପାଶ୍ଚାତ୍ୟ ପଟ୍ଟଭୂମିରେ ଲିଖିତ ତାଙ୍କର କାବ୍ୟଗୁଡ଼ିକ ମଧ୍ୟ ଓଡ଼ିଆ ନବଧୂର ରୂପ ମାଧୁର୍ଯ୍ୟର ସନ୍ଦର୍ଶନ କରେ। ଅନ୍ୟତମ ସମ୍ମାନିତ ଅତିଥି ରାଧାନାଥ ରାୟଙ୍କ ବଂଶଧର ଶୁଭେନ୍ଦୁ ମୋହନ ରାୟ ସ୍ୱାଗତ ଅଭିଭାଷଣରେ ରାଧାନାଥଙ୍କ ଜନ୍ମ ଇତିହାସ ଓ ଜୀବନାଦର୍ଶ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ସଭାପତି ଶ୍ରୀ ପାଢ଼ୀ ତାଙ୍କ ଭାଷଣରେ ପ୍ରସଙ୍ଗରେ କହିଲେ ଯେ ମହାଯାତ୍ରା ମହାକାବ୍ୟ ରଚନା କରି ରାଧାନାଥ ଯେଉଁ ଜାତୀୟ ନିର୍ଘୋଷର ମହାଉତ୍ସବ ଜାତୀୟତାର ନମୁନା ରଖିଯାଇଛନ୍ତି ତାହା ଅପରିକଳ୍ପନୀୟ। ଏହି ଅବସରରେ ଡ. ଶରତ ଚନ୍ଦ୍ର ମହାନ୍ତିଙ୍କ ରଚିତ ‘ରାଧାନାଥ କାବ୍ୟ ମାଧୁର୍ଯ୍ୟ’ ଲୋକାର୍ପିତ ହୋଇଥିଲା। ଅମରେନ୍ଦ୍ର ନନ୍ଦ ଏହି ଉତ୍ସବରେ ସଂଯୋଜନା କରିଥିଲେ । ପୂର୍ବାଶା ମହାନ୍ତି ଅତିଥି ପରିଚୟ ପ୍ରଦାନ ପ୍ରଦାନ କରିଥିଲେ।
