ଜାତୀୟ ଶିକ୍ଷା ପ୍ରଶିକ୍ଷଣ ଶିବିର କାର୍ଯ୍ୟକର୍ମରେ ଭାଗନେଲେ ଗଜପତି ଜିଲ୍ଲାର ୫ ଜଣ ପ୍ରଧାନ ଶିକ୍ଷକ ।.
ଗଜପତି ( ଟିକି ଲିମା)
ଓଡିଶା ସରକାରଙ୍କ ଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି ଓ ନବସଂସ୍କାର ଆଣିବା ନିମନ୍ତେ ଗୃହୀତ ଅଭିନବ ପ୍ରୟାସ ମଧ୍ୟରେ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ, ଗଜପତି ଜିଲ୍ଲାର ପାଞ୍ଚ ଜଣିଆ ପ୍ରଧାନ ଶିକ୍ଷକଙ୍କ ଦଳ ବେଙ୍ଗାଲୁରୁସ୍ଥିତ ଆଜିମ୍ ପ୍ରେମଜୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ନେତୃତ୍ୱ ତାଲିମରେ ଅଂଶଗ୍ରହଣ କରି ଜିଲ୍ଲାର ମାନ ସମ୍ମାନ ବୃଦ୍ଧି କରିଛନ୍ତି। ଗତ ୧ ସେପ୍ଟେମ୍ବର ୨୦୨୫ରୁ ୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ଏହି ତାଲିମରେ କାଶୀନଗର ବ୍ଲକ ଅନ୍ତର୍ଗତ ଶିଆଳି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦେବରାଜ ଜେନା, ଗୋଷାଣୀ ବ୍ଲକ ଅନ୍ତର୍ଗତ ଦେଉଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରାଜେନ୍ଦ୍ର କୁମାର ପାଣି, ରାୟଗଡ଼ ବ୍ଲକ ଅନ୍ତର୍ଗତ ଲାଇଲାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଶ୍ରୀଧର ମିଶ୍ର, ମୋହନା ବ୍ଲକ ଅନ୍ତର୍ଗତ ଛପଟପୋଙ୍କ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ନାୟକ ଓ ଖଜୁରୀପଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦିବାକର ନାୟକ ଅଂଶଗ୍ରହଣ କରିଥିଲେ। ଏହି ତାଲିମ ମାଧ୍ୟମରେ ପ୍ରଧାନ ଶିକ୍ଷକମାନେ ଆଧୁନିକ ଶିକ୍ଷାଦାନ ପଦ୍ଧତି ଏବଂ ନେତୃତ୍ୱ ଦକ୍ଷତା ବିଷୟରେ ଗଭୀର ଜ୍ଞାନ ଆହରଣ କରିଛନ୍ତି, ଯାହା ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଗଜପତି ଜିଲ୍ଲାର ବୁଦ୍ଧିଜୀବି ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଏହି ସଫଳତା ପାଇଁ ପ୍ରଧାନ ଶିକ୍ଷକମାନେ ଓଡିଶା ସରକାରଙ୍କ ଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ପ୍ରୟାସ ଗଜପତି ଜିଲ୍ଲାର ଶିକ୍ଷାକ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ସୂଚନା କରୁଛି।
