କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଗଣଧାରଣା ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ସୋର(ଭଞ୍ଜଦୂତ, ନିପ୍ର): ବାଲେଶ୍ୱରରେ ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦାବିରେ , ଆଜି ବାଲେଶ୍ୱର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆହ୍ୱାନରେ ସୋର ଅଞ୍ଚଳ କମିଟିର ସଭାପତି ଶିକ୍ଷାବିତ ମହେଶ୍ୱର ପଣ୍ଡାଙ୍କ ସଭାପତିତ୍ୱରେ ଏକ ଗଣ ଧାରଣା ସୋର ବ୍ଳକ ପରିସରରେ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ଜିଲ୍ଲା କମିଟିର ସଭାପତି ଡକ୍ଟର କେଶବ ଚନ୍ଦ୍ର ପଣ୍ଡା ସୂଚନା ଦେଇ , ଜିଲ୍ଲାରେ ଗଠିତ ମହାବିଦ୍ୟାଳୟ ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତି ୨୦୨୧ ମସିହା ଠାରୁ ଦୀର୍ଘ ଚାରିବର୍ଷ ଧରି ବାଲେଶ୍ଵର ଜିଲାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ,କୃଷିମନ୍ତ୍ରୀଙ୍କ ଠାରେ ଦାଵି କରି ଆସୁଥିବା ବେଳେ,ରାଜ୍ୟ ସରକାର ବାଲେଶ୍ୱର ଜିଲ୍ଲାକୁ ବାଦଦେଇ ଅନ୍ୟ ତିନିଗୋଟି ଜିଲ୍ଲାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଘୋଷଣା କରିବା ପରିତାପର ବିଷୟ । ଓଡ଼ିଶାର ଭାତ ହାଣ୍ଡି ଭାବେ ପରିଚିତ ବାଲେଶ୍ୱର ଜିଲ୍ଲାରେ ପ୍ରାୟ ୯୯ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ। ଧାନ ପାନ,ମୀନ ପାଇଁ ପ୍ରସିଦ୍ଧ ବାଲେଶ୍ୱର ଜିଲ୍ଲାରୁ, ତତ୍କାଳୀନ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ କ୍ଷେପଣାସ୍ତ୍ର ଘାଟିକୁ ଲୋକେ ବିରୋଧ କରିବା ଯୋଗୁଁ ସରକାର ସମନ୍ୱିତ କୃଷିକୁ ଅଧିକ ଗୁରୁତ୍ୱ ଦେଇ ଘାଟିକୁ ବନ୍ଦ କଲେ। ମାତ୍ର ବର୍ତ୍ତମାନର ସରକାର ଆମ ଜିଲ୍ଲାର ଦାଵି ପ୍ରତି ସୁବିଚାର ନ କରିବାରୁ , ଆମେ ଗଣତାନ୍ତ୍ରିକ ଧାରାରେ ଆମର ଦାଵି ଉପସ୍ଥାପିତ କରୁଛୁଁ। କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଆନ୍ଦୋଳନ, ଆବଶ୍ୟକ ସ୍ଥଳେ ଆଗାମୀ ଦିନରେ ବିଧାନସଭା ସମ୍ମୁଖରେ ଅନୁଷ୍ଠିତ ହେବ ବୋଲି ପ୍ରକାଶ କରିଥିଲେ। ସୋର ବିଧାୟକ ମାଧବ ଚନ୍ଦ୍ର ଧଡ଼ା ଯୋଗ ଦେଇ ଦାବିକୁ ସମର୍ଥନ ଜଣାଇବା ସହ, ରାଜ୍ୟ ସରକାରଙ୍କ ଠାରେ ଏହି ନ୍ୟାୟୋଚିତ ଦାଵିକୁ ଉପସ୍ଥାପନା କରିବାକୁ ଘୋଷଣା କରିଥିଲେ। ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରାମାଣିକ,ସୋର ପଞ୍ଚାୟତ ସମିତି ଅଧକ୍ଷା ଅନୁସୟା ମଳିକ, ଜିଲ୍ଲା ପରିଷଦ ସଦସ୍ୟ ଜୟରାମ ଦାସ,ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସମ୍ପାଦକ ଅଭୟ କୁମାର ମିଶ୍ର, ପ୍ରଫୁଲ୍ଲ କୁମାର ଦାସ ଧାରଣାରତ ଆନ୍ଦୋଳନ କାରୀଙ୍କୁ ଉଦବୋଧନ ଦେଇ, କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଘୋଷଣା ନ ହେବା ପର୍ଯ୍ୟନ୍ତ ତମାମ ବାଲେଶ୍ୱର ଜିଲ୍ଲାରେ ଏହି ଆନ୍ଦୋଳନକୁ ଅଧିକ ତୀବ୍ରତର କରିବାକୁ ମତ ରଖିଥିଲେ। ଦାବିକୁ ସମର୍ଥନ ଜଣାଇ, ନାଗରିକ ମଞ୍ଚର ସଭାପତି ନେତ୍ରାନନ୍ଦ ରାଉତ, ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ନବକିଶୋର ଦାସ, ରାଧାନାଥ ପାଠାଗାରର ସମ୍ପାଦକ ଦାମୋଦର ଦାଶମହାପାତ୍ର, କେଶବ କବି କୃଷ୍ଣ ପ୍ରସାଦ ବେହେରା ସ୍ମୁତି ପରିଷଦର ସମ୍ପାଦକ ଉଦ୍ଧବ ଚରଣ ବିଶ୍ୱାଳ, କ୍ରିୟାନୁଷ୍ଠାନ କମିଟି ସିମୁଳିଆ ବ୍ଳକ ଶାଖା ସଭାପତି ଗଣନାଥ ସାହୁ, ଖଇରା ବ୍ଳକ ସଭାପତି ସନ୍ତୋଷ ବିଶ୍ୱାଳ, ଔପଦା ବ୍ଳକ ସଭାପତି ଲୋଚନ ବେହେରା,କ୍ରିୟାନୁଷ୍ଠାନ ସମିତି ସୋର ଅଞ୍ଚଳ କମିଟି ସମ୍ପାଦକ ପ୍ରଫୁଲ୍ଲ ଷଡ଼ଙ୍ଗୀ, ମାୟାଧର ନାୟକ,ନିତ୍ୟାନନ୍ଦ କର,ଗଙ୍ଗାଧର ପାଢ଼ୀ,ଅନାମ ପ୍ରସାଦ ବାରିକ, ରବିନ୍ଦ୍ର ନନ୍ଦ, ଡକ୍ଟର ଶରତ ଚନ୍ଦ୍ର ମହାନ୍ତି, ଡକ୍ଟର ଚେମେଇ ଦାସ, ରାକେଶ ଚନ୍ଦ୍ର ମଳିକ, ଗୋଲକ ଚନ୍ଦ୍ର ପାତ୍ର, ସୁରେନ୍ଦ୍ର ବେହେରା,ପଙ୍କଜ କୁମାର ପଣ୍ଡା, ପ୍ରଭୃତି ଯୋଗ ଦେଇ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିକୁ ସମର୍ଥନ ଜଣାଇଥିଲେ। ଶେଷରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୋର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଗଣଧାରଣାକୁ ସଫଳ କରିବା ପାଇଁ ସୋର ବ୍ଲକର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀରୁ ପ୍ରାୟ ୫୦ ଜଣ ସଦସ୍ୟା ଯୋଗଦେଇ ଥିଲେ। ପ୍ରଦୀପ କୁମାର ଦାଶ, ରତିକାନ୍ତ ପଣ୍ଡା, ଶଶିକାନ୍ତ ପଣ୍ଡା ପ୍ରଭୃତି ଏହି ଗଣ ଧାରଣାକୁ ପରିଚାଳନା କରିଥିଲେ।
