ଉପାନ୍ତ ଅଞ୍ଚଳର ଅନ୍ଧାରୀ ଜୀବନରେ ଆଲୋକ ଜଳାଇଲେ ଯୁବ ସମାଜସେବୀ ବୁଲୁ ମଲିକନିଜ ଖୁସି ପାଇଁ ନୁହେଁ, ଅସହାୟ ଶିଶୁଙ୍କ ମୁହଁରେ ହସ ଫୁଟାଇ ପାଳିଲେ ଦୀପାବଳି।
ବାଲିଗୁଡ଼ା: କୋଟଗଡ଼ ୦୯/୧୧/୨୦୨୬ (ନି.ପ୍ର )ଗିରିଧାରୀ ମହାରଣା ସାରା ଦେଶ ଦୀପ, ଆଲୋକ ଓ ବାଣର ରୋଷଣୀରେ ଦୀପାବଳି ପାଳନ କରୁଥିବା ବେଳେ, କନ୍ଧମାଳର ଜଣେ ଯୁବ ସମାଜସେବୀ ଦେଖାଇଛନ୍ତି ମାନବିକତାର ଏକ ନିଆରା ଉଦାହରଣ। ନିଜ ପାଇଁ ନୁହେଁ, ଅନ୍ୟର ମୁହଁରେ ହସ ଫୁଟାଇବା ହିଁ ତାଙ୍କ ପାଇଁ ଦୀପାବଳିର ପ୍ରକୃତ ଖୁସି।କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକର ଉପାନ୍ତ ଅଞ୍ଚଳ ବାନ୍ଦାକା, ବାଡ଼ିପାଙ୍ଗା, ଭାଲୁଗୁଡ଼ା ଓ ସାକାରଯୋଡ଼ି ଗ୍ରାମରେ ପହଞ୍ଚି କୁନି କୁନି ଶିଶୁଙ୍କୁ ନୂତନ ପୋଷାକ ବଣ୍ଟନ କରି ଦୀପାବଳି ପାଳନ କରିଛନ୍ତି ଯୁବ ସମାଜସେବୀ ବୁଲୁ ମଲିକ। ଶିଶୁଙ୍କ ମୁହଁରେ ଟିକିଏ ହସ ଫୁଟାଇବା ଥିଲା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ କିନ୍ତୁ ଏହି ଦୀପାବଳିର ଖୁସି ପଛରେ ଲୁଚି ରହିଛି ଏକ ତିକ୍ତ ବାସ୍ତବତା। ଯେଉଁଠି ଆଜି ବି ଲୋକଙ୍କ ପାଖରେ ଭଲ ରାସ୍ତା ନାହିଁ, ରହିବାକୁ ଉପଯୁକ୍ତ ଘର ନାହିଁ, ପିଲାଙ୍କ ପାଇଁ ଶିକ୍ଷାର ସୁବିଧା ଅଭାବ ରହିଛି। ଏପରିକି ପାନୀୟ ଜଳ ପାଇଁ ମଧ୍ୟ ଲୋକେ ନାଳର ପାଣି ଉପରେ ନିର୍ଭର କରୁଥିବା ଅଭିଯୋଗ ହୋଇଛି। ଆଧୁନିକତାର ଏହି ଯୁଗରେ ଏଭଳି ଅବହେଳିତ ଜୀବନ କାହାକୁ ବା ବ୍ୟଥିତ ନକରିବ!ଅନ୍ୟପଟେ ବୁଲୁ ମଲିକ ଯୁବ ସମାଜକୁ ଏକ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ଦେଇ କହିଛନ୍ତି, “ବାଣ ଫୁଟାଇ କିଛି ସମୟର ଖୁସି ପାଇବା ଅପେକ୍ଷା, ଜଣେ ଅସହାୟ ଶିଶୁର ମୁହଁରେ ହସ ଫୁଟାଇବା ହେଉଛି ପ୍ରକୃତ ଦୀପାବଳି। ନିଶାଦ୍ରବ୍ୟଠାରୁ ଦୂରେଇ ରହି ସମାଜର ଅସହାୟ ଲୋକଙ୍କ ପାଖରେ ଠିଆ ହେବା ଆଜିର ଯୁବପିଢ଼ିର କର୍ତ୍ତବ୍ୟ।”କେବଳ ଚଳିତ ବର୍ଷ ନୁହେଁ, ପ୍ରତିବର୍ଷ ଦୀପାବଳିରେ ଏଭଳି ଉପାନ୍ତ ଅଞ୍ଚଳକୁ ଯାଇ ଶିଶୁଙ୍କ ସହ ଖୁସି ବାଣ୍ଟିଥାନ୍ତି ବୁଲୁ ମଲିକ। ତାଙ୍କ ମତରେ, ଏହି ଶିଶୁମାନେ ହେଉଛନ୍ତି ଆସନ୍ତାକାଲିର ଭବିଷ୍ୟତ। ତେଣୁ ସେମାନଙ୍କୁ ଶିକ୍ଷିତ ଓ ସୁନାଗରିକ ଭାବେ ଗଢ଼ି ତୋଳିବା ସମାଜର ସମସ୍ତଙ୍କ ଦାୟିତ୍ୱ। ଏହି ମହତ୍ କାର୍ଯ୍ୟରେ ଫ୍ରେଣ୍ଡସ୍ କ୍ଲବର ସକ୍ରିୟ ସଦସ୍ୟ ପିଣ୍ଟୁ ପ୍ରଧାନ, କାମଦେବ ରଇତ, ଅନାଦି ରଇତ, ମିନ ଯାନୀ, ବିବେକାନନ୍ଦ ବାଡ଼ତିଆ ଓ ବିରାଜ ବେହେରା ସହଯୋଗ କରିଥିଲେ। ସେମାନଙ୍କ ନିସ୍ୱାର୍ଥପର ସହଯୋଗ ପାଇଁ ବୁଲୁ ମଲିକ କୃତଜ୍ଞତା ଜଣାଇଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଏହି ଗ୍ରାମଗୁଡ଼ିକର ଲୋକେ କେତେଦିନ ଆଉ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିବେ? ଜଣେ ଯୁବକ ନିଜ ସାଧ୍ୟମତେ ଶିଶୁଙ୍କ ମୁହଁରେ ହସ ଫୁଟାଇ ପାରୁଛନ୍ତି, ହେଲେ ସରକାରୀ ବ୍ୟବସ୍ଥା କାହିଁକି ଏହି ଅଞ୍ଚଳର ଅନ୍ଧକାର ଦୂର କରିପାରୁନାହିଁ?ବାଣର ଶବ୍ଦରେ ନୁହେଁ, ଅସହାୟଙ୍କ ହସରେ ଦୀପାବଳିର ପ୍ରକୃତ ଆଲୋକ ରହିଛି। ବୁଲୁ ମଲିକଙ୍କ ଏହି ପ୍ରୟାସ ନିଶ୍ଚିତ ଭାବେ ସମାଜ ପାଇଁ ଏକ ଶିକ୍ଷା ଓ ପ୍ରଶାସନ ପାଇଁ ଏକ ନିରବ ପ୍ରଶ୍ନ। ଉପାନ୍ତ ଅଞ୍ଚଳର ଏହି ମୌଳିକ ସମସ୍ୟାଗୁଡ଼ିକ ପ୍ରତି ଜିଲ୍ଲା ପ୍ରଶାସନ ଓ ସରକାର ତୁରନ୍ତ ଦୃଷ୍ଟି ଦେଇ ସମାଧାନ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।
