ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି: ଡ୍ୟାମ୍ ପରିଚାଳନାରେ ତ୍ରୁଟି ନାହିଁ
ପାନୀୟଜଳ ଯୋଗାଣ ଓ ଖରିଫ ଜଳସେଚନ ଉଭୟକୁ ସମାନ ଗୁରୁତ୍ୱ
ବନ୍ୟାଜନିତ କ୍ଷୟକ୍ଷତିର ପ୍ରାଥମିକ ଆକଳନ ୩୩୪ କୋଟି ଟଙ୍କା
ବ୍ରହ୍ମପୁର, ୧୦.୧୧.୨୦୨୬:
ଗଞ୍ଜାମ ଜିଲ୍ଲାରେ ସମ୍ପ୍ରତି ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଅତ୍ୟଧିକ ଓ ଅପ୍ରତ୍ୟାଶିତ ବୃଷ୍ଟିପାତର ପରିଣାମ। ହଠାତ୍ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରଗୁଡ଼ିକର ଜଳସ୍ତରରେ ଦ୍ରୁତ ବୃଦ୍ଧି ଘଟିବା ସହ ନଦୀଗୁଡ଼ିକରେ ଜଳପ୍ରବାହ ବୃଦ୍ଧି ପାଇଥିଲା। ଫଳସ୍ୱରୂପ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା କୌଣସି ମନୁଷ୍ୟକୃତ ପରିସ୍ଥିତି ନୁହେଁ; ବରଂ ଅତ୍ୟଧିକ ବୃଷ୍ଟିପାତର ପ୍ରତ୍ୟକ୍ଷ ପରିଣାମ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଆଜି ବ୍ରହ୍ମପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଦିଲ୍ଲୀପ ରାଉତ କହିଥିଲେ ଯେ, ଜଳଭଣ୍ଡାରଗୁଡ଼ିକର ଜଳସ୍ତର ନିୟମିତ ଭାବେ ନିରୀକ୍ଷଣ କରାଯାଇଥିଲା ଏବଂ ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ସମୟରେ ଜଳ ନିଷ୍କାସନ କରାଯାଇଥିଲା। କୌଣସି ଜଳଭଣ୍ଡାରର ଦ୍ୱାର ଅନାବଶ୍ୟକ ଭାବେ ଖୋଲାଯାଇନଥିଲା। ତେଣୁ ଜଳଭଣ୍ଡାର ପରିଚାଳନା କିମ୍ବା ବନ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ଜଳସମ୍ପଦ ବିଭାଗ ପକ୍ଷରୁ କୌଣସି ପ୍ରକାର ଅବହେଳା ବା ପରିଚାଳନାଗତ ତ୍ରୁଟି ହୋଇନଥିବା ସେ ସ୍ପଷ୍ଟ କରିଥିଲେ।
ବନ୍ୟାଜନିତ କ୍ଷୟକ୍ଷତିର ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ
ଗଞ୍ଜାମ ଜିଲ୍ଲାରେ ବନ୍ୟା ଯୋଗୁଁ ଜଳସମ୍ପଦ ବିଭାଗ ଅଧୀନରେ ଥିବା ବିଭିନ୍ନ ଜଳସେଚନ ଭିତ୍ତିଭୂମିର ପ୍ରାୟ ୩୩୪ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ଏଥିମଧ୍ୟରେ ୯୩୩ଟି ବୃହତ୍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି। ଏହି ପ୍ରକଳ୍ପଗୁଡ଼ିକର ପୁନରୁଦ୍ଧାର ନିମନ୍ତେ ପ୍ରାୟ ୨୭୪ କୋଟି ଟଙ୍କା ବ୍ୟୟ ହେବ ବୋଲି ଆକଳନ କରାଯାଇଛି।
ସେହିପରି ୬୬ଟି କ୍ଷୁଦ୍ର ଜଳସେଚନ ପଏଣ୍ଟ ଏବଂ ୨୧୦୩ଟି ଉଠା ଜଳସେଚନ ପଏଣ୍ଟ କ୍ଷତିଗ୍ରସ୍ତ ହୋଇଛି। ଏସବୁର ପୁନରୁଦ୍ଧାର ପାଇଁ ଆବଶ୍ୟକୀୟ ଅନୁଦାନ ନିମନ୍ତେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ ଆୟୁକ୍ତଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଛି। ତେବେ ଅନୁଦାନ ମଞ୍ଜୁରୀକୁ ଅପେକ୍ଷା ନକରି ଜଳସେଚନ ବ୍ୟବସ୍ଥାର ତ୍ୱରିତ ପୁନରୁଦ୍ଧାର ପାଇଁ ଆଗୁଆ ମରାମତି କାର୍ଯ୍ୟ ହାତକୁ ନିଆଯିବ।
କ୍ଷତିଗ୍ରସ୍ତ ଅଞ୍ଚଳରେ ଉଚ୍ଚସ୍ତରୀୟ ଅନୁଧ୍ୟାନ
ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବୈଷୟିକ ଦଳ ଜାହ୍ନିବିଲି, ସୁରମଣି, ତତାବାଲି, ପଦ୍ମ ବ୍ୟାରେଜ୍, ଜାହାଡ଼ା ଓ ଜୟମଙ୍ଗଳ ଆଦି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଅନୁଧ୍ୟାନ ସମୟରେ ପାନୀୟଜଳ ଯୋଗାଣ ଓ ଜଳସେଚନ ବ୍ୟବସ୍ଥାର ପୁନଃସ୍ଥାପନକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି।
ଜାହ୍ନିବିଲି ଜଳଭଣ୍ଡାରରୁ ବ୍ରହ୍ମପୁର ସହରକୁ ପାନୀୟଜଳ ଯୋଗାଣ କରାଯାଉଥିବାରୁ ଏହାର ସୁରକ୍ଷା ଓ ନିରବଚ୍ଛିନ୍ନ ଜଳଯୋଗାଣ ନିମନ୍ତେ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଛି। ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଅଂଶରେ ଅସ୍ଥାୟୀ ବନ୍ଧ ନିର୍ମାଣ କରାଯାଇ ପାନୀୟଜଳ ଯୋଗାଣ ସ୍ୱାଭାବିକ ରଖାଯାଇଛି। ଆସନ୍ତା ୧୦ରୁ ୧୨ ଦିନ ମଧ୍ୟରେ ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ଅନ୍ୟପକ୍ଷରେ ଋଷିକୁଲ୍ୟା ଡାହାଣ ପାର୍ଶ୍ୱ କେନାଲର ସୁରମଣିଠାରେ ପ୍ରାୟ ୯୦୦ ମିଟର ଏବଂ ତତାବାଲିଠାରେ ପ୍ରାୟ ୮୦୦ ମିଟର ଅଂଶ ବନ୍ୟାରେ ଧୋଇଯାଇଛି। ଏହି କ୍ଷତିଗ୍ରସ୍ତ ଅଂଶଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି।
ଖରିଫ ଚାଷ ପାଇଁ ଜଳସେଚନକୁ ପ୍ରାଥମିକତା
କୃଷି କାର୍ଯ୍ୟ ଯେପରି ବ୍ୟାହତ ନହୁଏ, ସେଥିପାଇଁ ବିଭାଗ ପକ୍ଷରୁ ଜଳସେଚନ ବ୍ୟବସ୍ଥାର ପୁନଃସ୍ଥାପନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଇତିମଧ୍ୟରେ ଘୋଡ଼ାହାଡ଼, ବାଘଲଟି, କଳଙ୍ଗଡୋଳା, ଡହ, ବାଘୁଆ, ଧନେଇ ଓ ଜୟମଙ୍ଗଳ କେନାଲ ମାଧ୍ୟମରେ ଖରିଫ ଚାଷ ପାଇଁ ଜଳସେଚନ ଆରମ୍ଭ ହୋଇଛି। ଖୁବ୍ଶୀଘ୍ର ଋଷିକୁଲ୍ୟା ଏବଂ ହୀରାଧରବାଟି କେନାଲ ମାଧ୍ୟମରେ ମଧ୍ୟ ଜଳସେଚନ ଆରମ୍ଭ କରାଯିବ।
ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଓ ପରିଚାଳନା
ଜଳସମ୍ପଦ ବିଭାଗର ତଥ୍ୟ ଅନୁଯାୟୀ, ୨୭ ତାରିଖ ସୁଦ୍ଧା ବିଭିନ୍ନ ଜଳଭଣ୍ଡାରରେ ଜଳସ୍ତର ନିମ୍ନମତେ ରହିଥିଲା:
ବାଘଲଟି – ୬୬ ପ୍ରତିଶତ
ବାଘୁଆ – ୬୬.୭ ପ୍ରତିଶତ
ଭଞ୍ଜନଗର – ୮୧.୩ ପ୍ରତିଶତ
ଡହ – ୬୬.୫ ପ୍ରତିଶତ
ଧନେଇ – ୮୫.୮ ପ୍ରତିଶତ
ଘଟକେଶ୍ୱରୀ – ୪୦.୭ ପ୍ରତିଶତ
ଘୋଡ଼ାହାଡ଼ – ୬୪.୪ ପ୍ରତିଶତ
ସୋରଡ଼ା ଡ୍ୟାମ୍ – ୮୮.୩ ପ୍ରତିଶତ
ଧନେଇ ଜଳଭଣ୍ଡାରରେ ଜଳସ୍ତର ନିର୍ଦ୍ଧାରିତ ସୀମା ଅତିକ୍ରମ କଲେ ସ୍ୱୟଂଚାଳିତ ଭାବେ ଜଳ ନିଷ୍କାସନ ଦ୍ୱାର ଖୋଲିବାର ବ୍ୟବସ୍ଥା ରହିଛି। ଅନ୍ୟ ଜଳଭଣ୍ଡାରଗୁଡ଼ିକରେ ମଧ୍ୟ ଜଳସ୍ତର, ବୃଷ୍ଟିପାତ ଓ ନଦୀର ଜଳପ୍ରବାହକୁ ନିରନ୍ତର ନିରୀକ୍ଷଣ କରାଯାଇ ଆବଶ୍ୟକତା ଅନୁଯାୟୀ ଜଳ ନିଷ୍କାସନ ଦ୍ୱାରର ପରିଚାଳନା ଓ ଜଳ ନିଷ୍କାସନ କରାଯାଇଥିଲା।
ସାମ୍ବାଦିକ ସମ୍ମିଳନୀରେ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଇଂ. ବିଘ୍ନରାଜ ପୁରୋହିତ ଏବଂ ମୁଖ୍ୟଯନ୍ତ୍ରୀ ତଥା ଅବବାହିକା ପରିଚାଳକ ଇଂ. ଜଗନ୍ନାଥ ପାଣି ଉପସ୍ଥିତ ଥିଲେ।
ଜଳସମ୍ପଦ ବିଭାଗର ମୁଖ୍ୟ ଲକ୍ଷ୍ୟ ହେଉଛି ବନ୍ୟା ପରବର୍ତ୍ତୀ ପରିସ୍ଥିତିରେ ପାନୀୟଜଳ ଯୋଗାଣର ନିରବଚ୍ଛିନ୍ନତା ବଜାୟ ରଖିବା, କ୍ଷତିଗ୍ରସ୍ତ ଜଳସେଚନ ଭିତ୍ତିଭୂମିର ତ୍ୱରିତ ପୁନରୁଦ୍ଧାର କରିବା ଏବଂ ଚାଷୀମାନଙ୍କୁ ଖରିଫ ଚାଷ ପାଇଁ ଆବଶ୍ୟକ ଜଳ ଯୋଗାଇଦେବା। ଏଥିପାଇଁ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଜାରି ରହିଛି।
