
ଦିବ୍ୟାଙ୍ଗ ମହିଳା ଭତ୍ତା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ବିଡ଼ିଓଙ୍କ ଦ୍ୱାରସ୍ଥ।
ଗଜପତି (ଟିକି ଲିମା )
ଅସହାୟତାର ଲୁହ, ମନରେ ନିଜର ନ୍ୟାଯ୍ୟ ଅଧିକାର ପାଇବାର ଆଶା। ଶାରୀରିକ ଅକ୍ଷମତା ଯୋଗୁଁ ନିଜ ଗୋଡ଼ରେ ଚାଲିବା ଅସମ୍ଭବ, ତଥାପି ନିଜ ହକ୍ର ଭତ୍ତା ପାଇବା ଆଶାରେ ଶେଷରେ ଗୁରୁଣ୍ଡି ଗୁରୁଣ୍ଡି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଲେ ଜଣେ ଅସହାୟ ଦିବ୍ୟାଙ୍ଗ ମହିଳା। ଏହି ଦୃଶ୍ୟ କେବଳ ହୃଦୟକୁ ବ୍ୟଥିତ କରୁନାହିଁ, ବରଂ ସାମାଜିକ ସୁରକ୍ଷା ଯୋଜନାର ବାସ୍ତବ କାର୍ଯ୍ୟକାରିତାକୁ ନେଇ ମଧ୍ୟ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି। ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଗୁମ୍ମା ଓ ତୋରଭା ପଞ୍ଚାୟତ ଅଞ୍ଚଳର ଶତାଧିକ ବୃଦ୍ଧବୃଦ୍ଧା ଓ ଅସହାୟ ମହିଳା ଗତ ଦୁଇ ମାସ ଧରି ଭତ୍ତା ପାଇନଥିବା ଅଭିଯୋଗ ହୋଇଛି। ନିଜର ନ୍ୟାଯ୍ୟ ପ୍ରାପ୍ୟ ପାଇବା ଆଶାରେ ସେମାନେ ବ୍ଲକ କାର୍ଯ୍ୟାଳୟକୁ ଆସି ବିଡ଼ିଓଙ୍କୁ ନିଜ ଦୁର୍ଦ୍ଦଶା ଜଣାଇଛନ୍ତି। ତେବେ ଏହି ଘଟଣା ମଧ୍ୟରେ ସବୁଠାରୁ ହୃଦୟବିଦାରକ ଦୃଶ୍ୟ ଥିଲା ସୁଦୂର ସେରଙ୍ଗ ଗ୍ରାମର ନିପୁଳା କରଙ୍କ ଅବସ୍ଥା। ଚାଲିବାକୁ ଅକ୍ଷମ ହୋଇଥିବା ସତ୍ତ୍ୱେ ଭତ୍ତା ପାଇବା ପାଇଁ ତାଙ୍କୁ ଗୁରୁଣ୍ଡି ଗୁରୁଣ୍ଡି ବ୍ଲକ କାର୍ଯ୍ୟାଳୟ ଆସିବାକୁ ପଡ଼ିଛି। ବୟସର ଅପରାହ୍ନରେ ଔଷଧ, ଖାଦ୍ୟ ଓ ନିତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ମିଳୁଥିବା ଏହି ସାମାନ୍ୟ ଭତ୍ତା ହିଁ ସେମାନଙ୍କ ଜୀବନର ଏକମାତ୍ର ଆଶା ଓ ଭରସା ବୋଲି ନିପୁଳା କରଙ୍କ ସମେତ ଉଜଳଜତି ବର୍ଦ୍ଧନ, ଜେମି ମିସାଲ, ବିମଳା ବେବର୍ତ୍ତା ଓ ସରୋଜନୀ ଶବର ଦୁଃଖର ସହ ପ୍ରକାଶ କରିଛନ୍ତି। ସରକାର ଅସହାୟ, ଦିବ୍ୟାଙ୍ଗ ଓ ବୟସ୍କ ନାଗରିକଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଯେଉଁମାନେ ନିଜେ ଜୀବିକା ନିର୍ବାହ କରିବାରେ ଅସମର୍ଥ, ସେମାନଙ୍କୁ ଆର୍ଥିକ ସହାୟତା ଓ ସମ୍ମାନଜନକ ଜୀବନ ଯୋଗାଇଦେବା। କିନ୍ତୁ ନିଜର ପ୍ରାପ୍ୟ ଭତ୍ତା ପାଇବା ପାଇଁ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଗୁରୁଣ୍ଡି ଗୁରୁଣ୍ଡି ସରକାରୀ କାର୍ଯ୍ୟାଳୟ ଆସିବାକୁ ପଡ଼ିବା ଘଟଣା ଯୋଜନାର ଉଦ୍ଦେଶ୍ୟ ଓ ତୃଣମୂଳସ୍ତରରେ ଏହାର କାର୍ଯ୍ୟକାରିତା ମଧ୍ୟରେ ଥିବା ଦୂରତାକୁ ସ୍ପଷ୍ଟ କରୁଛି। ପ୍ରଶ୍ନ ଉଠୁଛି, ଯେଉଁ ହିତାଧିକାରୀମାନେ ନିଜେ ଚାଲିବାକୁ ଅକ୍ଷମ, ସେମାନଙ୍କ ନିକଟରେ ପ୍ରଶାସନ ପହଞ୍ଚିବା ପରିବର୍ତ୍ତେ ସେମାନଙ୍କୁ କାହିଁକି ବାରମ୍ବାର କାର୍ଯ୍ୟାଳୟ ଦ୍ୱାରସ୍ଥ ହେବାକୁ ପଡ଼ୁଛି? କେବଳ ଅଭିଯୋଗ ଶୁଣିବାରେ ପ୍ରଶାସନର ଦାୟିତ୍ୱ ସୀମିତ ରହିବ ନା ତୁରନ୍ତ ସମାଧାନ ପାଇଁ ମଧ୍ୟ ଠୋସ୍ ପଦକ୍ଷେପ ନିଆଯିବ? ଏଣୁ ନିପୁଳା କରଙ୍କ ସମେତ ସମସ୍ତ ବକେୟା ଭତ୍ତା ହିତାଧିକାରୀଙ୍କୁ ତୁରନ୍ତ ପ୍ରାପ୍ୟ ଭତ୍ତା ପ୍ରଦାନ, ଭତ୍ତା ବିଳମ୍ବର ପ୍ରକୃତ କାରଣ ଅନୁଧ୍ୟାନ ଏବଂ ଗୁମ୍ମା ବ୍ଲକରେ ଭତ୍ତା ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରିବାକୁ ସାଧାରଣରେ ଦାବି ହେଉଛି। ଏଥିସହ ଅସହାୟ ଓ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ କାର୍ଯ୍ୟାଳୟକୁ ଦୌଡ଼ାଇବା ପରିବର୍ତ୍ତେ ସେମାନଙ୍କ ନିକଟରେ ପ୍ରଶାସନିକ ସେବା ପହଞ୍ଚାଇବାକୁ ମଧ୍ୟ ଦାବି ଜୋର ଧରିଛି।
