*ଜିଲ୍ଲା ଆଇନ ସେବା ପ୍ରାଧିକରଣ ଙ୍କର ହସ୍ତକ୍ଷେପ: ବର୍ଷେ ପରେ ଝିଅକୁ ଭେଟିଲେ କଏଦୀ ବାପା*
ନୂଆପଡା(ମିଖାଏଲ ନନ୍ଦ)
ପାରିବାରିକ ସମ୍ପର୍କର ସୁରକ୍ଷା ଏବଂ ଶିଶୁମାନଙ୍କ ମାନସିକ ଓ ଭାବନାତ୍ମକ କଲ୍ୟାଣକୁ ଗୁରୁତ୍ୱ ଦେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲ୍ଏସ୍ଏ), ନୂଆପଡ଼ାର ହସ୍ତକ୍ଷେପ ଯୋଗୁଁ ଖଡ଼ିଆଳ ଉପକାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀ ଦୀର୍ଘ ପ୍ରାୟ ଏକ ବର୍ଷ ପରେ ନିଜ ନାବାଳିକା ଝିଅକୁ ଭେଟିବାର ସୁଯୋଗ ପାଇଛନ୍ତି। ନିଜ ପତ୍ନୀଙ୍କ ମୃତ୍ୟୁ ସମ୍ପର୍କିତ ଏକ ହତ୍ୟା ମାମଲାରେ ବିଚାରାଧୀନ ଥିବା ଜଣ କଏଦୀ ଖଡ଼ିଆଳ ଉପକାରାଗାରରେ ଅଛନ୍ତି । ବନ୍ଦୀ ରୂପେ କାରାଗାର ରେ ରହୁଥିବାରୁ ଦୀର୍ଘ ଏକ ବର୍ଷ ଧରି ନିଜ ନାବାଳିକା ଝିଅକୁ ଦେଖି ପାରୁନଥିବାରୁ ତାଙ୍କୁ ସାକ୍ଷାତ କରିବା ନିମନ୍ତେ ଅନୁମତି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଓ କାରାଗାର କର୍ତ୍ତୃପକ୍ଷଙ୍କ ନିକଟରେ ଏକ ଆବେଦନ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ାର ସଚିବ ନବନୀତା ଦାଶ ଖଡ଼ିଆଳ ର ଏକ ଶିଶୁ ଯତ୍ନ ଅନୁଷ୍ଠାନକୁ ପରିଦର୍ଶନ କରିବା ସମୟରେ ଜାଣିବାକୁ ପାଇଥିଲେ ଯେ, ଉକ୍ତ କଏଦୀଙ୍କ ଏକମାତ୍ର ଝିଅ ଗତ ସେପ୍ଟେମ୍ବର ୨୦୨୫ ଠାରୁ ଉକ୍ତ ଅନୁଷ୍ଠାନରେ ରହୁଛନ୍ତି । ଶିଶୁ ଯତ୍ନ ଅନୁଷ୍ଠାନ ଏବଂ ଖଡ଼ିଆଳ ଉପକାରାଗାର ଦୂରତା ମାତ୍ର ୩ କିଲୋମିଟର। କିନ୍ତୁ ନିଜ ବାପାଙ୍କୁ ଦେଖା କରି ପାରିନାହାନ୍ତି। ଏହା ଜାଣିବା ପରେ ସଚିବ ତୁରନ୍ତ ହସ୍ତକ୍ଷେପ କରି ସମ୍ପୃକ୍ତ ଶିଶୁ ଯତ୍ନ ଅନୁଷ୍ଠାନ କର୍ମଚାରୀମାନଙ୍କୁ ଶିଶୁ ମଙ୍ଗଳ ସମିତି (CWC), ନୂଆପଡ଼ାଙ୍କ ଠାରୁ ଆବଶ୍ୟକ ଅନୁମତି ନେଇ ବାପା ଓ ଝିଅଙ୍କ ମଧ୍ୟରେ ସାକ୍ଷାତକାରର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ଙ୍କର ଏହି ହସ୍ତକ୍ଷେପ ଏବଂ ଆଇନ ଅନୁଯାୟୀ ଆବଶ୍ୟକ ଔପଚାରିକତା ପୂରଣ ପରେ ଶେଷରେ ଖଡ଼ିଆଳ ଉପକାରାଗାରର ମୁଲାକାତ୍ ଜେଲ୍ ଆଇନ ସହାୟତା କେନ୍ଦ୍ର ଠାରେ ଝିଅଟି ନିଜ ବାପାଙ୍କୁ ଭେଟିବାର ସୁଯୋଗ ପାଇଥିଲା। ଏହା ଫଳରେ ଦୀର୍ଘ ଦିନର ବିଚ୍ଛେଦ ପରେ ବାପା ଓ ଝିଅଙ୍କ ମଧ୍ୟରେ ପୁନର୍ବାର ସାକ୍ଷାତ ସମ୍ଭବ ହୋଇପାରିଥିଲା । ଉଭୟ ବାପା ଓ ଝିଅ ପାଇଁ ଏହା ଏକ ଅତି ଭାବାବେଗପୂର୍ଣ୍ଣ ମୁହୂର୍ତ୍ତ ଥିଲା । ଏହା ପରେ ନୂଆପଡ଼ା ଶିଶୁ ମଙ୍ଗଳ ସମିତିରୁ ଅନୁମତି ଆଣି ନିୟମିତ ରୂପେ ଝିଅଟିକୁ ଆଣି ତା ବାପା ସଙ୍ଗେ ଦେଖା କରେଇବାକୁ ସଚିବ ଉପସ୍ଥିତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
