ସୁରଭି ମହୋତ୍ସବରେ କୃତିତ୍ୱର ଛାପ, ଅର୍ମେଲାରେ ପ୍ରତିଭାବାନ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ
ସିନାପାଲି (ଧର୍ମେନ୍ଦ୍ର କୁମାର ଗହିର)(ନିପ୍ର): ଜିଲ୍ଲାସ୍ତରୀୟ ଶିଶୁ ସୁରଭି ମହୋତ୍ସବ-୨୦୨୬ରେ ନିଜର ଅନ୍ତର୍ନିହିତ ପ୍ରତିଭା ଓ କଳାନୈପୁଣ୍ୟ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ହାସଲ କରିଥିବା ସିନାପାଲି ବ୍ଲକର କୃତୀ ଛାତ୍ରଛାତ୍ରୀଙ୍କୁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ସଫଳତାକୁ ନେଇ ଶିକ୍ଷାବିଭାଗ, ଶିକ୍ଷକ ମହଲ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏହି ଉପଲକ୍ଷେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଅର୍ମେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ହୀରାଲାଲ ନିଆଲଙ୍କ ସଭାପତିତ୍ୱରେ ଆୟୋଜିତ ସଭାକୁ ଶିକ୍ଷକ କେଦାର ଗୌରୀ ନାରାୟଣ ଜାଲ ପରିଚାଳନା କରିଥିଲେ। ସେ ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।
ସମାରୋହରେ ମୁଖ୍ୟ ଅତିଥି ଭାବେ ସିନାପାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସତ୍ୟବ୍ରତ ଗହୀର ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବାନନ୍ଦ ବାଗ ଉପସ୍ଥିତ ଥିଲେ।
ସେହିପରି ସମ୍ମାନିତ ଅତିଥି ଭାବେ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଯଯାତି କେଶରୀ ନାରାୟଣ ଜାଲ, ସହଶିକ୍ଷକ ନିରାକାର ସାଗର, ଯୁବ ସାମ୍ବାଦିକ ଝଙ୍କେଶ୍ୱର ବନ୍ଦିଛୋର, ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଉପେନ୍ଦ୍ର ହଂସ, ବରିଷ୍ଠ ସହଶିକ୍ଷକ ଟିକଧର ସୁନାନୀ, ତିଲକୁମାର ତାଣ୍ଡି ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନିତ୍ୟ ପୁଞ୍ଜି ପ୍ରମୁଖ ମଞ୍ଚାସୀନ ଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ସତ୍ୟବ୍ରତ ଗହୀରଙ୍କ ସମେତ ମଞ୍ଚାସୀନ ଅତିଥିମାନେ କୃତୀ ଛାତ୍ରଛାତ୍ରୀଙ୍କୁ ଫୁଲତୋଡ଼ା ପ୍ରଦାନ କରି ସମ୍ମାନିତ କରିଥିଲେ। ସେମାନଙ୍କର ଉଲ୍ଲେଖନୀୟ ସଫଳତାକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ରାଜ୍ୟସ୍ତରୀୟ ସୁରଭି ମହୋତ୍ସବରେ ମଧ୍ୟ ନିଜର ପ୍ରତିଭା ପ୍ରଦର୍ଶନ କରି ସିନାପାଲି ବ୍ଲକ ପାଇଁ ଗୌରବ ଆଣିବାକୁ ଅତିଥିମାନେ ଉତ୍ସାହିତ କରିଥିଲେ। ବକ୍ତାମାନେ ନିଜ ଅଭିଭାଷଣରେ କହିଥିଲେ ଯେ, ପ୍ରତ୍ୟେକ ଶିଶୁଙ୍କ ମଧ୍ୟରେ କିଛି ନା କିଛି ସ୍ୱତନ୍ତ୍ର ପ୍ରତିଭା ଲୁକ୍କାୟିତ ହୋଇ ରହିଛି। ତାହାର ଉପଯୁକ୍ତ ବିକାଶ ଓ ପରିପ୍ରକାଶ ପାଇଁ ଶିକ୍ଷା ସହିତ ସାଂସ୍କୃତିକ ଓ ସୃଜନଶୀଳ କାର୍ଯ୍ୟକ୍ରମର ଗୁରୁତ୍ୱ ଅଧିକ। ଶିଶୁ ସୁରଭି ଭଳି ମହୋତ୍ସବ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି, ସୃଜନଶୀଳତାର ବିକାଶ ଏବଂ ନିଜର କଳା ଓ ସାଂସ୍କୃତିକ ଦକ୍ଷତା ପ୍ରଦର୍ଶନ ପାଇଁ ଏକ ଉତ୍ତମ ମଞ୍ଚ ବୋଲି ସେମାନେ ମତପ୍ରକାଶ କରିଥିଲେ। ଶେଷରେ କୃତୀ ଛାତ୍ରଛାତ୍ରୀଙ୍କ ସଫଳତା ପଛରେ ଥିବା ଶିକ୍ଷକ, ଅଭିଭାବକ ଓ ବିଦ୍ୟାଳୟର ଅବଦାନକୁ ମଧ୍ୟ ଅତିଥିମାନେ ପ୍ରଶଂସା କରିଥିଲେ। ଏହି ସମ୍ବର୍ଦ୍ଧନା ସମାରୋହ ଛାତ୍ରଛାତ୍ରୀଙ୍କ ମନରେ ନୂତନ ଉତ୍ସାହ ଓ ଆଗାମୀ ସଫଳତା ପାଇଁ ପ୍ରେରଣା ସୃଷ୍ଟି କରିଥିଲା।
