*ଶତ ପ୍ରତିଶତ ଦିବ୍ୟାଙ୍କ ଶିଶୁକୁ ମିଳିଛି ମାତ୍ର ୪୦ ପ୍ରତିଶତର ପ୍ରମାଣପତ୍ର: ସରକାରୀ ସୁବିଧାରୁ ବଞ୍ଚିତ କୌଶଲ୍ୟା, ବାୟୋମେଟ୍ରିକ୍ ବିଫଳତାରୁ ବନ୍ଦ ରାସନ*
ନୂଆପଡ଼ା(ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ରେ ଦେଖିବାକୁ ମିଳିଛି ଏକ ଅସହାୟ ନାବାଳିକା।ମାନସିକ ଓ ଶାରୀରିକ ଭାବରେ ଶତ ପ୍ରତିଶତ ଦିବ୍ୟାଙ୍କ, ହେଲେ ସରକାରୀ କାଗଜପତ୍ରରେ ତାଙ୍କୁ ଦିଆଯାଇଛି ମାତ୍ର ୪୦ ପ୍ରତିଶତର ପ୍ରମାଣପତ୍ର। ଫଳରେ ସରକାରୀ ସୁବିଧା ଓ ପ୍ରକୃତ ପ୍ରାପ୍ୟରୁ ବଞ୍ଚିତ ହୋଇ ରହିଛନ୍ତି ଜଣେ ଅସହାୟ ନାବାଳିକା। ଏଭଳି ଏକ ଅମାନବୀୟ ଓ ଦୁର୍ଭାଗ୍ୟଜନକ ଚିତ୍ର ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ମଣ୍ଡୋଷିଲ ଗ୍ରାମରେ।
ପରିବାର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ କୌଶଲ୍ୟା ପ୍ରାପ୍ତ ସୂଚନା ଅନୁଯାୟୀ, ମଣ୍ଡୋଷିଲ ଗ୍ରାମର କୌଶଲ୍ୟା ରଣା (ବୟସ ୮ ବର୍ଷ) ଜନ୍ମରୁ ମାନସିକ ଓ ଶାରୀରିକ ଭାବରେ ଶତ ପ୍ରତିଶତ (100%) ଦିବ୍ୟାଙ୍କ ଅଟନ୍ତି। ନିଜର ଦୈନନ୍ଦିନ କାର୍ଯ୍ୟ କରିବା ତ ଦୂରର କଥା, ସେ ନିଜ ଗୋଡ଼ରେ ଠିଆ ମଧ୍ୟ ହୋଇପାରନ୍ତି ନାହିଁ। ତାଙ୍କର ଜୀବନ ନିର୍ବାହ ସମ୍ପୂର୍ଣ୍ଣ ରୂପେ ତାଙ୍କ ଗରିବ ପରିବାର ଉପରେ ନିର୍ଭରଶୀଳ।
କମ୍ ପ୍ରମାଣପତ୍ର ଯୋଗୁଁ ଅଧିକ ସହାୟତାରୁ ବଞ୍ଚିତ ଡାକ୍ତରୀ ପରୀକ୍ଷା ଓ ପ୍ରମାଣପତ୍ର ପ୍ରଦାନ ବେଳେ ବଡ଼ଧରଣର ତ୍ରୁଟି ଯୋଗୁଁ ଶତ ପ୍ରତିଶତ ଦିବ୍ୟାଙ୍କ ଶିଶୁ କୌଶଲ୍ୟାଙ୍କୁ ମାତ୍ର ୪୦ ପ୍ରତିଶତ ଦିବ୍ୟାଙ୍କ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଫଳରେ ସେ ସରକାରଙ୍କ ପକ୍ଷରୁ ମିଳିବାକୁ ଥିବା ପ୍ରକୃତ ଦିବ୍ୟାଙ୍କ ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ ହେଉଛନ୍ତି। ବର୍ତ୍ତମାନ ସେ ମାତ୍ର ୧୨ ଶହ ଟଙ୍କା ଭତ୍ତା ପାଉଛନ୍ତି, ଯାହାକି ତାଙ୍କର ଡାକ୍ତରୀ ଖର୍ଚ୍ଚ ଏବଂ ପୋଷଣ ପାଇଁ ଅତ୍ୟନ୍ତ ଅପର୍ଯ୍ୟାପ୍ତ।
ବାୟୋମେଟ୍ରିକ୍ ବିଫଳତାରୁ ବନ୍ଦ ରାସନ କାର୍ଡ ଏହାପରେ ବି ଦୁର୍ଭାଗ୍ୟର ବାର୍ତ୍ତା ଯେ, ଖାଦ୍ୟ ଅଧିକାର ଯୋଜନାରୁ ମଧ୍ୟ ଏହି ପରିବାରକୁ ବଞ୍ଚିତ କରାଯାଇଛି। ଶିଶୁଟିର ବାୟୋମେଟ୍ରିକ୍ (Biometric) ଯାଞ୍ଚ ବିଫଳ ହେବା କାରଣ ଦର୍ଶାଇ ତାଙ୍କର ରାସନ କାର୍ଡ ଯୋଗାଣ ବନ୍ଦ କରିଦିଆଯାଇଛି। ଗୋଟେ ପଟେ ଦିବ୍ୟାଙ୍କ ଝିଅର ଚିକିତ୍ସା ଓ ପାଳନ ପାଇଁ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ, ଅନ୍ୟପଟେ ରାସନ ମଧ୍ୟ ବନ୍ଦ ହୋଇଯିବାରୁ ପରିବାରଟି ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି।
ପ୍ରଶାସନର ହସ୍ତକ୍ଷେପ ପାଇଁ ଦାବି
ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। କୌଶଲ୍ୟାଙ୍କର ପୁନଃ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଶତ ପ୍ରତିଶତ ଦିବ୍ୟାଙ୍କ ପ୍ରମାଣପତ୍ର ପ୍ରଦାନ କରାଯାଉ ଏବଂ ତାଙ୍କର ବନ୍ଦ ଥିବା ରାସନ କାର୍ଡକୁ ସଚଳ କରିବା ସହ ଉଚିତ୍ ସହାୟତା ଯାଗାଇଦେବାକୁ ଗ୍ରାମବାସୀ ଓ ବୁଦ୍ଧିଜୀବୀ ମହଲରୁ ଗୁହାରି କରାଯାଇଛି।
