*ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିନା ସୂଚନା ଫଳକରେ ଚାଲିଛି ଗ୍ୟାଲେରୀ ନିର୍ମାଣ କାମ; ସ୍ୱଚ୍ଛତା ନେଇ ବଢୁଛି ସନ୍ଦେହ।*
ନୂଆପଡ଼ା(ମିଖାଏଲ ନନ୍ଦ):
ତା-୧୦/୧୧
ନୂଆପଡ଼ା ଜିଲ୍ଲାର ଏକ ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ତଥା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଚାଲିଥିବା ଗ୍ୟାଲେରୀ ନିର୍ମାଣ କାମକୁ ନେଇ ବ୍ୟାପକ ଅସନ୍ତୋଷ ଦେଖାଦେଇଛି। ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ବିନା ସୂଚନା ଫଳକ (Name Board/Project Signage)ରେ ଏହି କାମ କରାଯାଉଥିବା ଅଭିଯୋଗ ହୋଇଛି, ଯାହାକି ନିର୍ମାଣ କାର୍ଯ୍ୟର ସ୍ୱଚ୍ଛତା ଏବଂ ଦାୟିତ୍ୱବୋଧ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ନିୟମକୁ କରାଯାଉଛି ଜାଣିଶୁଣି ଅଣଦେଖା ସରକାରୀ କିମ୍ବା ଅନୁଦାନପ୍ରାପ୍ତ ଅନୁଷ୍ଠାନଗୁଡ଼ିକରେ ଯେକୌଣସି ବିକାଶମୂଳକ କିମ୍ବା ନିର୍ମାଣ କାର୍ଯ୍ୟ ହେଲେ ସେଠାରେ ଏକ ସ୍ଥାୟୀ ସୂଚନା ଫଳକ ଲଗାଇବା ବାଧ୍ୟାତ୍ମକ ଅଟେ। ଏହି ଫଳକରେ ପ୍ରକଳ୍ପର ନାମ, ଆକଳନ ମୂଲ୍ୟ (Estimated Cost), କାର୍ଯ୍ୟ ଆରମ୍ଭ ଏବଂ ଶେଷ ତାରିଖ, ଠିକାଦାରଙ୍କ ନାମ ଏବଂ କାର୍ଯ୍ୟଦାୟୀ ଯନ୍ତ୍ରୀଙ୍କ ବିବରଣୀ ସ୍ପଷ୍ଟ ଭାବରେ ଲିଖିବା ନିୟମ ରହିଛି। ମାତ୍ର ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଚାଲିଥିବା ଏହି ଗ୍ୟାଲେରୀ ନିର୍ମାଣ କ୍ଷେତ୍ରରେ ଏସବୁ ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଥିବା ଦେଖିବାକୁ ମିଳିଛି।
ଜନସାଧାରଣ ଓ ଛାତ୍ରସମାଜରେ ଅସନ୍ତୋଷ କୌଣସି ପ୍ରକଳ୍ପରେ ସୂଚନା ଫଳକ ନରହିବା ଅର୍ଥ ସେଥିରେ ବ୍ୟାପକ ଅନିୟମିତତା ଏବଂ ସ୍ୱଚ୍ଛତାର ଅଭାବ ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି। କେଉଁ ଅନୁଦାନ ବା ପାଣ୍ଠିରୁ ଏହି ଗ୍ୟାଲେରୀ ନିର୍ମାଣ କରାଯାଉଛି, ପ୍ରକଳ୍ପ ପାଇଁ କେତେ ଅର୍ଥ ମଞ୍ଜୁର ହୋଇଛି ଏବଂ ଏହାର ଠିକାଦାର କିଏ, ସେନେଇ କଲେଜର ସାଧାରଣ ଛାତ୍ରଛାତ୍ରୀ କିମ୍ବା ସ୍ଥାନୀୟ ଲୋକେ କିଛି ମଧ୍ୟ ଜାଣିପାରୁନାହାନ୍ତି। ଏହାଦ୍ୱାରା ନିର୍ମାଣ କାମର ମାନ ମଧ୍ୟ ନକମ୍ମା ହେବା ଆଶଙ୍କାକୁ ଏଡ଼ାଯାଇ ପାରିବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
ପ୍ରଶାସନର ଦୃଷ୍ଟିଗୋଚର ପାଇଁ ଦାବି
ଏଭଳି ବେଆଇନ ଭାବେ ବିନା ସୂଚନା ଫଳକରେ ଚାଲିଥିବା କାମକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏହି ଘଟଣାର ତଦନ୍ତ କରି, କାର୍ଯ୍ୟସ୍ଥଳରେ ତୁରନ୍ତ ସୂଚନା ଫଳକ ଲଗାଇବା ସହିତ ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ରକ୍ଷା କରିବାକୁ ସାଧାରଣରେ ଦାବି ହେଉଛି।
