ରାୟଗଡ଼ ଜିଲ୍ଲାରେ କ୍ଲୋରିନ୍ ଗ୍ୟାସ୍ ଲିକେଜ୍ ଜନିତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଓ ଅଫ୍ସାଇଟ୍ ମକ୍ ଡ୍ରିଲ୍ ଅନୁଷ୍ଠିତ
(ଡା:ରମେଶ କୁମାର.ନି:ପ୍ର)
ରାୟଗଡ଼, ୦୫/୧୧/୨୦୨୬: ରାୟଗଡ଼ ଜିଲ୍ଲାରେ ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣା ତଥା କ୍ଲୋରିନ୍ ଗ୍ୟାସ୍ ଲିକେଜ୍ ଜନିତ ଜରୁରୀକାଳୀନ ପରିସ୍ଥିତିର ସଫଳ ମୁକାବିଲା ଏବଂ ବିଭିନ୍ନ ବିଭାଗର ପ୍ରସ୍ତୁତି ଆକଳନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ଏକ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଅନୁଷ୍ଠିତ ହୋଇଥିଲା। ଡେପୁଟି ଡାଇରେକ୍ଟର ଅଫ୍ ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ, ରାୟଗଡ଼ ଡିଭିଜନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବୈଠକର ଆୟୋଜନ କରାଯାଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିହାର ରଞ୍ଜନ କହଁର ଏଥିରେ ଅଧ୍ୟକ୍ଷତା କରିଥିଲେ।
ଏହି ବୈଠକରେ ଆଞ୍ଚଳିକ ପରିବହନ ବିଭାଗ (RTO), ଅଗ୍ନିଶମ ବିଭାଗ, ପୋଲିସ ବିଭାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ (I&PR), ସ୍ୱାସ୍ଥ୍ୟ ବିଭାଗ, ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ବିଭାଗ (PHED), ରେଳବାଇ, ଟିପି ସାଉଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPSODL) ଏବଂ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରର ଅଧିକାରୀମାନେ ଯୋଗଦେଇଥିଲେ।
ବୈଠକରେ କ୍ଲୋରିନ୍ ଗ୍ୟାସ୍ ଲିକେଜ୍ ଭଳି ଜରୁରୀକାଳୀନ ପରିସ୍ଥିତିରେ ବିଭିନ୍ନ ବିଭାଗର ଦାୟିତ୍ୱ ଓ କାର୍ଯ୍ୟଧାରା, ମକ୍ ଡ୍ରିଲ୍ର କ୍ରମାନ୍ୱୟ କାର୍ଯ୍ୟପନ୍ଥା, କ୍ଲୋରିନ୍ ପରିବହନ ସମୟରେ ସୁରକ୍ଷା ବ୍ୟବସ୍ଥା ଏବଂ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଉପରେ ଆଲୋଚନା କରାଯାଇଥିଲା।
ଏଥିସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗନବାଡ଼ି କର୍ମୀ, ସରପଞ୍ଚ ଓ ଜନପ୍ରତିନିଧିମାନଙ୍କୁ ଏଭଳି ପରିସ୍ଥିତିରେ ଆବଶ୍ୟକ ସତର୍କତା ଓ ଜନସଚେତନତା ସମ୍ପର୍କରେ ପ୍ରଶିକ୍ଷଣ ଦେବା, ଜରୁରୀକାଳୀନ ଉଦ୍ଧାର ପାଇଁ ସ୍ୱତନ୍ତ୍ର ଯାନର ବ୍ୟବସ୍ଥା ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସୁରକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ଏହାପରେ ଆଜି ଅପରାହ୍ନ ୪ଟା ସମୟରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ନିକଟସ୍ଥ କେରଡ଼ାଠାରେ କ୍ଲୋରିନ୍ ଗ୍ୟାସ୍ ଲିକେଜ୍ ପରିସ୍ଥିତିକୁ ଆଧାର କରି ଏକ ଅଫ୍ସାଇଟ୍ ଏମର୍ଜେନ୍ସି ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା।
ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜରୁରୀକାଳୀନ ସମୟରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ତ୍ୱରିତ ଉଦ୍ଧାର କାର୍ଯ୍ୟ, ଚିକିତ୍ସା ସେବା, ଜନସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନାର ପ୍ରସ୍ତୁତିକୁ ପରୀକ୍ଷା କରିବା। ଏଭଳି ଅଭ୍ୟାସ ଦ୍ୱାରା ଭବିଷ୍ୟତରେ କୌଣସି ରାସାୟନିକ ଦୁର୍ଘଟଣା ଘଟିଲେ ତାହାର ସଫଳ ମୁକାବିଲା କରିବା ସହ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ।
