ଜୟପୁରରେ କ୍ଲଷ୍ଟର ଭିତ୍ତିକ ସମନ୍ୱିତ ଧାନ-ସହ-ମାଛ ଚାଷ କର୍ମଶାଳା
୧୦୦ ଚାଷୀଙ୍କ ଅଂଶଗ୍ରହଣ, ୧୭ଟି ପ୍ରସ୍ତାବ ଗ୍ରହଣ
-ଜୟପୁରଠାରେ ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ସହ ଗ୍ରାମାଞ୍ଚଳରେ ଜୀବିକାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କ୍ଲଷ୍ଟର ଭିତ୍ତିକ ସମନ୍ୱିତ ଧାନ-ସହ-ମାଛ ଚାଷ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ନିର୍ଦ୍ଦେଶାଳୟଙ୍କ ପଦକ୍ଷେପକ୍ରମେ ଆୟୋଜିତ ଏହି କର୍ମଶାଳାରେ ବୈଜ୍ଞାନିକ ପଦ୍ଧତିରେ ଧାନ ସହ ମାଛ ଚାଷ କରି ଚାଷୀଙ୍କ ଆୟ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏଥିରେ କୋଟପାଡ଼, ବୋରିଗୁମ୍ମା ଓ ଜୟପୁର ବ୍ଲକର ପ୍ରାୟ ୧୦୦ ଜଣ ଚାଷୀଙ୍କ ସମେତ ବିଭିନ୍ନ ସମବାୟ ମତ୍ସ୍ୟ ଅଧିକାରୀ ଓ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକମାନେ ଯୋଗଦେଇଥିଲେ।
କଟକସ୍ଥିତ ଆଇ.ସି.ଏ.ଆର.-କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନର ପ୍ରଧାନ ବୈଜ୍ଞାନିକ ଡ. ଆନି ପୁନମ କର୍ମଶାଳାରେ ଯୋଗଦେଇ ଧାନ ଉତ୍ପାଦନ ଓ ଅମଳ ହାରକୁ ୫୭ ପ୍ରତିଶତରୁ ୬୧ ପ୍ରତିଶତକୁ ବୃଦ୍ଧି କରିବା ନିମନ୍ତେ ବିଭିନ୍ନ ବୈଷୟିକ ଓ ବୈଜ୍ଞାନିକ କୃଷି ପଦ୍ଧତି ସମ୍ପର୍କରେ ଚାଷୀମାନଙ୍କୁ ବିସ୍ତୃତ ସୂଚନା ଦେଇଥିଲେ।
ଏହି ଅବସରରେ ମତ୍ସ୍ୟ ନିର୍ଦ୍ଦେଶାଳୟର ଅଧିକାରୀମାନେ କ୍ଲଷ୍ଟର ଆପ୍ରୋଚ୍ ମାଧ୍ୟମରେ ସମୂହ ଭିତ୍ତିକ ଚାଷ କାର୍ଯ୍ୟ ଗ୍ରହଣ କରିବାକୁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ଧାନ ସହ ମାଛ ଚାଷ ମାଧ୍ୟମରେ ଅତିରିକ୍ତ ଆୟର ସୁଯୋଗ, ଚାଷ ପରିଚାଳନାର ବିଭିନ୍ନ ଉପାୟ ଏବଂ ସରକାରଙ୍କ ‘ମତ୍ସ୍ୟ ପୋଖରୀ ଯୋଜନା’ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଯାଇଥିଲା।
କର୍ମଶାଳାରେ ଚାଷୀମାନଙ୍କ ମଧ୍ୟରେ ସମନ୍ୱିତ ଧାନ-ସହ-ମାଛ ଚାଷ ପ୍ରତି ଆଗ୍ରହ ପ୍ରକାଶ ପାଇଥିବା ବେଳେ ସେମାନଙ୍କଠାରୁ ୧୭ଟି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି ପଦକ୍ଷେପ ଚାଷୀଙ୍କ ଆୟ ବୃଦ୍ଧି ସହ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି।. କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର କାଗଜ
