*ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ୬୩୦ଟି ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଶିଳାନ୍ୟାସ; ନୂଆପଡ଼ା ଜିଲ୍ଲାର ୩୫ଟି ବିଦ୍ୟାଳୟ ସାମିଲ*
ନୂଆପଡ଼ା( ମିଖାଏଲ ନନ୍ଦ)
ତା-୦୫/୧୧:
ରାଜ୍ୟରେ ପ୍ରାଥମିକ ଶିକ୍ଷାର ମାନ ବୃଦ୍ଧି, ଗୁଣାତ୍ମକ ଶିକ୍ଷାର ସୁଯୋଗ ସମ୍ପ୍ରସାରଣ ଏବଂ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିର ବିକାଶ ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ତୃତୀୟ ପର୍ଯ୍ୟାୟରେ ୬୩୦ଟି ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଶିଳାନ୍ୟାସ କରାଯିବ। ଆସନ୍ତାକାଲି, ନଭେମ୍ବର ୬ ତାରିଖ ପୂର୍ବାହ୍ନ ୧୧ଟାରେ କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟ ଖେଳପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବିଦ୍ୟାଳୟଗୁଡ଼ିକର ଶିଳାନ୍ୟାସ କରିବେ।
ଏହି ସମାରୋହରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ, ତେଲକୋଇ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଡା. ଫକୀର ମୋହନ ନାଏକ, ଘଷିପୁରା ବିଧାୟକ ଶ୍ରୀ ବଦ୍ରି ନାରାୟଣ ପାତ୍ର, ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକ, କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ ଏବଂ ଆନନ୍ଦପୁର ବିଧାୟକ ଶ୍ରୀ ଅଭିମନ୍ୟୁ ସେଠୀ ପ୍ରମୁଖ ଯୋଗଦେବେ। ଏଥିସହ ଅନ୍ୟ ୨୬ଟି ଜିଲ୍ଲାରେ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ସ୍ଥାନୀୟ ସ୍ତରରେ ଆୟୋଜିତ ସମାରୋହରେ ଉପସ୍ଥିତ ରହିବେ।
ଏହି ଅବସରରେ ନୂଆପଡ଼ା ଜିଲ୍ଲାର ୩୫ଟି ସ୍ଥାନରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ କରାଯିବ। ଏଥିପାଇଁ ଜିଲ୍ଲାସ୍ତରୀୟ ମୁଖ୍ୟ ସମାରୋହ ନୂଆପଡ଼ା ବ୍ଲକ ଅନ୍ତର୍ଗତ ଡୁମେରପାଣି ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ହେବ। ଏଥିସହ ନୂଆପଡ଼ା, ଖଡ଼ିଆଳ, କୋମନା ଓ ବୋଡ଼େନ ବ୍ଲକର ବିଭିନ୍ନ ଚିହ୍ନିତ ସ୍ଥାନରେ ମଧ୍ୟ ଶିଳାନ୍ୟାସ କାର୍ଯ୍ୟକ୍ରମ ହେବ।
ଏହି ଯୋଜନା ମାଧ୍ୟମରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଉନ୍ନତ ଶିକ୍ଷଣ ପରିବେଶ, ଆଧୁନିକ ଶିକ୍ଷା ସୁବିଧା ଓ ଉନ୍ନତ ଭିତ୍ତିଭୂମି ଉପଲବ୍ଧ କରାଇବା ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶକୁ ଗୁରୁତ୍ୱ ଦିଆଯାଉଛି। ଏହା ଦ୍ୱାରା ଗ୍ରାମାଞ୍ଚଳର ଶିଶୁମାନଙ୍କୁ ମଧ୍ୟ ଉନ୍ନତ ଓ ଗୁଣାତ୍ମକ ଶିକ୍ଷାର ସୁଯୋଗ ମିଳିପାରିବ।
