ସଦର ମହକୁମାରେ ଡ୍ରେନେଜ୍ ବ୍ୟବସ୍ଥା ନାହିଁ, ରାସ୍ତା ପାଲଟିଛି ଅଳିଆ ପାଣିର ନାଳ!
ରାଇଘର:ତା/୦୫/୧୧ (ଉମେଶ ସାହୁ): ସଦର ମହକୁମାର ବିକାଶର ଚିତ୍ର ଯେଉଁଠି ଦେଖାଯିବା କଥା, ସେଠି ରାସ୍ତା ଉପରେ ଭାସୁଛି ଅଳିଆ ଆବର୍ଜନା ମିଶା ଦୂଷିତ ପାଣି। ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳୁଛି ରାଇଘର ବ୍ଲକ ସଦର ମହକୁମାର ପଠାଣ ସାହୀରେ ୧୧ ନମ୍ବର ୱାର୍ଡ । ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଘରର ନିର୍ଗତ ଅଳିଆ ପାଣି ରାସ୍ତା ଉପରେ ଜମି ରହୁଛି। ଫଳରେ ସାହୀବାସିନ୍ଦାଙ୍କ ସହ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ନିତିଦିନ ହଇରାଣ ହେଉଛନ୍ତି।ଏହି ରାସ୍ତା ଦେଇ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକ ଏବଂ ଯାନବାହାନ ଚଳାଚଳ କରୁଛି। ରାସ୍ତାରେ ଜମିଥିବା ଦୂଷିତ ପାଣି ଉପରେ ଗାଡ଼ି ଯିବା ସମୟରେ ତାହା ଛିଟିକି ଯାତ୍ରୀ ଓ ପଥଚାରୀଙ୍କ ଉପରେ ପଡ଼ୁଛି। ବିଶେଷ କରି ଛାତ୍ରଛାତ୍ରୀମାନେ ଏହି ସମସ୍ୟାରେ ନିୟମିତ ଅସୁବିଧା ଭୋଗୁଛନ୍ତି। ଦୂଷିତ ପାଣି ଜମି ରହିବା ଯୋଗୁଁ ପରିବେଶ ମଧ୍ୟ ପ୍ରଦୂଷିତ ହେବାର ଆଶଙ୍କା ରହିଛି।ସଦର ମହକୁମାର ଏକ ସାହୀରେ ଯଦି ନିର୍ଗମନ ପାଣି ପାଇଁ ଡ୍ରେନେଜ୍ ବ୍ୟବସ୍ଥା ହୋଇପାରୁନାହିଁ, ତେବେ ସହରର ସ୍ୱଚ୍ଛତା ଓ ମୌଳିକ ସୁବିଧାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ସାଧାରଣ ଲୋକଙ୍କ ଯାତାୟାତ ପାଇଁ ଥିବା ରାସ୍ତା ଅଳିଆ ପାଣିରେ ଭରି ରହିବା କେତେଦିନ ଯାଏଁ ଚାଲିବ?ତେଣୁ ପଠାଣ ସାହୀରେ ତୁରନ୍ତ ଡ୍ରେନେଜ୍ ବ୍ୟବସ୍ଥା କରି ଜମି ରହୁଥିବା ଦୂଷିତ ପାଣିର ସ୍ଥାୟୀ ନିଷ୍କାସନ ପାଇଁ ରାଇଘର ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଦୃଷ୍ଟି ଦେବାକୁ ସାହୀବାସିନ୍ଦା ଓ ସାଧାରଣ ଲୋକଙ୍କ ପକ୍ଷରୁ ଦାବି ହେଉଛି।
