ହାଣ୍ଡିଧୂଆଁ ଅଣ୍ଡରପାସ୍ ପାଲଟିଛି ଯାତାୟାତର ଯନ୍ତ୍ରଣା!
ଖାଲଖମା ଓ ଜଳବନ୍ଦୀରେ ହନ୍ତସନ୍ତ ତାଳଚେରବାସୀ, ଦୁର୍ଘଟଣାକୁ ଅପେକ୍ଷା କରିଛି କି ପ୍ରଶାସନ?
ତାଳଚେର: ମନୋଜ ରାଉତ (ନିପ୍ର) ଶିଳ୍ପ ସମୃଦ୍ଧ ତାଳଚେରରୁ ସରକାରଙ୍କ ରାଜକୋଷକୁ ଯାଉଛି କୋଟି କୋଟି ଟଙ୍କାର ରାଜସ୍ୱ। କିନ୍ତୁ ସେହି ତାଳଚେରବାସୀଙ୍କୁ ମିଳୁନାହିଁ କି ସୁରକ୍ଷିତ ଯାତାୟାତର ମୌଳିକ ସୁବିଧା? ହାଣ୍ଡିଧୂଆଁ ରେଲୱେ ଅଣ୍ଡରପାସ୍ର ଶୋଚନୀୟ ଅବସ୍ଥା ଏବେ ସାଧାରଣ ଲୋକଙ୍କ ପାଇଁ ଗୁରୁତର ସମସ୍ୟା ପାଲଟିଛି।
ଅଣ୍ଡରପାସ୍ ରାସ୍ତାରେ ବଡ଼ ବଡ଼ ଖାଲଖମା, ଅବ୍ୟବସ୍ଥିତ ଜଳ ନିଷ୍କାସନ ଏବଂ ବର୍ଷା ହେଲେ ରାସ୍ତା ଉପରେ ଜମି ରହୁଥିବା ପାଣି ଯାତାୟାତକୁ ଅତ୍ୟନ୍ତ ଦୁର୍ବିଷହ କରିଦେଇଛି। ପ୍ରତିଦିନ ଏହି ରାସ୍ତା ଦେଇ ଯାଉଥିବା ହଜାର ହଜାର ଲୋକ ନାନା ଦୁର୍ଦ୍ଦଶା ଭୋଗୁଛନ୍ତି। ରୋଗୀଙ୍କ ଯାତାୟାତଠାରୁ ଆରମ୍ଭ କରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଯାତାୟାତ ପର୍ଯ୍ୟନ୍ତ ସବୁଠି ଦେଖାଦେଉଛି ଅସୁବିଧା।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ୱ କାହାର? ରେଳ ବିଭାଗ, ସ୍ଥାନୀୟ ପ୍ରଶାସନ ନା ଅନ୍ୟ କୌଣସି ବିଭାଗ? ଦାୟିତ୍ୱ କାହାର ହେଉନା କାହିଁକି, ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବ କିଏ?
ବାରମ୍ବାର ଅଭିଯୋଗ ସତ୍ତ୍ୱେ ଯଦି ରାସ୍ତାର ଅବସ୍ଥା ସୁଧୁରୁନାହିଁ, ତେବେ ପ୍ରଶାସନର ଦାୟିତ୍ୱବୋଧକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। କୌଣସି ବଡ଼ ଦୁର୍ଘଟଣା ଘଟିବା ପରେ ହିଁ କ’ଣ ପ୍ରଶାସନର ଚେତା ପଶିବ?
ମନେ ରଖିବାକୁ ହେବ, ଦୁର୍ଘଟଣା ପରେ ତଦନ୍ତ କରିବା ଅପେକ୍ଷା ଦୁର୍ଘଟଣା ପୂର୍ବରୁ ପ୍ରତିରୋଧମୂଳକ ପଦକ୍ଷେପ ନେବା ହିଁ ପ୍ରଶାସନର ପ୍ରକୃତ ଦାୟିତ୍ୱ।
ତାଳଚେରବାସୀ କୌଣସି ଅନୁକମ୍ପା ମାଗୁନାହାନ୍ତି, ସେମାନେ ନିଜର ନ୍ୟାର୍ଯ୍ୟ ଅଧିକାର ମାଗୁଛନ୍ତି। ତେଣୁ ତୁରନ୍ତ ରାସ୍ତା ମରାମତି, ଉନ୍ନତ ଜଳ ନିଷ୍କାସନ ବ୍ୟବସ୍ଥା ଏବଂ ସ୍ଥାୟୀ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ଆଗେଇ ଆସିବା ଆବଶ୍ୟକ।
ଏବେ ପ୍ରଶ୍ନ ହେଉଛି—ହାଣ୍ଡିଧୂଆଁ ଅଣ୍ଡରପାସ୍ର ଦୁର୍ଦ୍ଦଶା କେବେ ଦୂର ହେବ? ଆଉ କେତେଦିନ ଏମିତି ଯନ୍ତ୍ରଣା ଭୋଗିବେ ତାଳଚେରବାସୀ?
ପ୍ରଶାସନ ଉତ୍ତର ଦେଉ, ଲୋକଙ୍କୁ ସୁରକ୍ଷିତ ରାସ୍ତା କେବେ ମିଳିବ?
