ସଡ଼କ ସୁରକ୍ଷାଠାରୁ ସାମାଜିକ ନ୍ୟାୟ ପର୍ଯ୍ୟନ୍ତ ୩ଟି ପ୍ରମୁଖ ଦାବି ଉଠାଇଲା କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ସମ୍ପୃକ୍ତ ବିଭାଗକୁ ପୃଥକ୍ ସ୍ମାରକପତ୍ର ପ୍ରଦାନ
ଭବାନୀପାଟଣା (୫.୧୧.୨୦୨୬ ): ଝସକେତନ୍ ନାଗ ଙ୍କ ରିପୋର୍ଟ୍ ଜନସାଧାରଣଙ୍କ ସୁରକ୍ଷା, ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାର ଓ ନିଯୁକ୍ତି କ୍ଷେତ୍ରରେ ସମାନ ସୁଯୋଗ ଦାବିରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ପଦକ୍ଷେପ ନିଆଯାଇଛି। ତା. ୦୫ ନଭେମ୍ବର ୨୦୨୬ ତାରିଖରେ ମହାସଭା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସମ୍ପୃକ୍ତ ପ୍ରଶାସନିକ ବିଭାଗଙ୍କ ଉଦ୍ଦେଶ୍ୟରେ ୩ଟି ପୃଥକ୍ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ସଡ଼କ ଦୁର୍ଘଟଣା ରୋକିବାକୁ ୧୫ ଦଫା ଦାବି
ଗୋଲାମୁଣ୍ଡା ବାହାଦୂରପଡା ଛକ ଓ ଲାଞ୍ଜିଗଡ କଦଳୀଘାଟି ନିକଟରେ ଗତ ୦୧ ଓ ୦୨ ନଭେମ୍ବରରେ ଘଟିଥିବା ଦୁଇଟି ହୃଦୟବିଦାରକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ଜୀବନହାନି ଘଟଣାକୁ ମହାସଭା ଗମ୍ଭୀରତାର ସହ ନେଇଛି। ଭାରୀଯାନର ବେପରୁଆ ଚଳାଚଳ, ଅତ୍ୟଧିକ ବେଗ ଓ ଓଭରଲୋଡିଂ ନିୟନ୍ତ୍ରଣ ସହ ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ, CCTV କ୍ୟାମେରା ଓ ସ୍ପିଡ୍ ମନିଟରିଂ ବ୍ୟବସ୍ଥା, ନିୟମିତ ଯାନବାହନ ଯାଞ୍ଚ, ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଆଦି ଦାବି ରଖାଯାଇଛି। ଏଥିସହ ୩୦ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ Action Taken Report ପ୍ରଦାନ କରିବାକୁ ୧୫ ଦଫା ସମ୍ବଳିତ ସ୍ମାରକପତ୍ରରେ ଦାବି କରାଯାଇଛି।
ପଞ୍ଚାୟତ ଓ ପୌର ନିର୍ବାଚନରେ OBC/SEBC ଆରକ୍ଷଣ ଦାବି
ଦ୍ୱିତୀୟ ସ୍ମାରକପତ୍ରରେ ଓଡ଼ିଶାର ଆଗାମୀ ପଞ୍ଚାୟତରାଜ ଓ ପୌର ନିର୍ବାଚନରେ OBC/SEBC ବର୍ଗଙ୍କୁ ଉପଯୁକ୍ତ ରାଜନୈତିକ ପ୍ରତିନିଧିତ୍ୱ ଓ ଆରକ୍ଷଣ ପ୍ରଦାନ କରିବାକୁ ଦାବି ହୋଇଛି। ସରକାରଙ୍କ ଦ୍ୱାରା ଗଠିତ ଆୟୋଗଙ୍କ ଅନୁଧ୍ୟାନ ପ୍ରକ୍ରିୟାକୁ ପ୍ରସ୍ତାବିତ ୩ ମାସ ମଧ୍ୟରେ ସମାପ୍ତ କରି ଆଗାମୀ ନିର୍ବାଚନ ପୂର୍ବରୁ ଆରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ମହାସଭା ନିବେଦନ କରିଛି। ପଛୁଆ ବର୍ଗଙ୍କୁ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଉପଯୁକ୍ତ ଭାଗିଦାରୀ ଓ ରାଜନୈତିକ ପ୍ରତିନିଧିତ୍ୱ ମିଳିବା ଆବଶ୍ୟକ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।
କନଷ୍ଟେବଲ୍ ନିଯୁକ୍ତିରେ SEBC ବର୍ଗଙ୍କୁ ଅବହେଳା ଅଭିଯୋଗ
ତୃତୀୟ ସ୍ମାରକପତ୍ରରେ OUSSSC ପକ୍ଷରୁ ପ୍ରକାଶିତ ୪,୨୧୯ଟି ସିଭିଲ୍ କନଷ୍ଟେବଲ୍ ପଦବୀ ନିଯୁକ୍ତି ବିଜ୍ଞାପନରେ SEBC ବର୍ଗଙ୍କୁ ମାତ୍ର ୮୫ଟି ପଦବୀ ମିଳିଥିବା ନେଇ ମହାସଭା ଅସନ୍ତୋଷ ପ୍ରକାଶ କରିଛି। କଳାହାଣ୍ଡି ସମେତ ୨୩ଟି ଜିଲ୍ଲାରେ SEBC ବର୍ଗ ପାଇଁ ଶୂନ୍ୟ ପଦବୀ ରହିଥିବା ନେଇ ମଧ୍ୟ ଆପତ୍ତି ଉଠାଯାଇଛି। ରାଜ୍ୟସ୍ତରରେ ମାତ୍ର ୨.୦୧ ପ୍ରତିଶତ ପଦବୀ ମିଳିଥିବା ଦର୍ଶାଇ ସରକାରଙ୍କ ଘୋଷିତ ୧୧.୨୫ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥାକୁ ଉପଯୁକ୍ତ ଭାବେ ଲାଗୁ କରି ସଂଶୋଧିତ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିବାକୁ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଦାବି କରିଛି।
ଏହି ଅବସରରେ ଉତ୍କଳ ଯାଦବ ମହାସଭା ରାଜ୍ୟ ମହିଳା ସେଲ୍ ସଭାନେତ୍ରୀ ସଂଯୁକ୍ତା ବେହେରା, ଜିଲ୍ଲା ସଭାପତି ନୃପରାଜ ଯାଦବ, କାର୍ଯ୍ୟକାରୀ ସଭାପତି ଗିରିଧାରୀ ତେଜୀ, ଉପସଭାପତି ଜଗଦୀଶ ଯାଦବ ଓ ଯୁଧିଷ୍ଠିର ଗୌଡ଼, ଜିଲ୍ଲା ସମ୍ପାଦକ ତ୍ରିପୁରା ନାୟକ,ଜିଲ୍ଲା ଯୁବ ସଭାପତି ପୀତାବାସ ବେହେରା, କୋଷାଧ୍ୟକ୍ଷ ଈଶ୍ୱର ବାଗର୍ତ୍ତୀ, ଜିଲ୍ଲା ଯୁବ ଉପସଭାପତି ଦିଳେଶ ନାଗ, ଯୁବ ସମ୍ପାଦକ ଦୁର୍ଗାମାଧବ ବାଗ, ଜିଲ୍ଲା ମହିଳା ସେଲ୍ ସଭାନେତ୍ରୀ ରଶ୍ମିରେଖା ରାଉତ, ପରାମର୍ଶଦାତା ନଳିନୀ ରଞ୍ଜନ ରାଉତ ଏବଂ ପୂର୍ବତନ ଜିଲ୍ଲା ଯୁବ ଯାଦବ ସଭାପତି ଲକ୍ଷ୍ମୀରଞ୍ଜନ ବାଗଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଏଥିସହ ଭବାନୀପାଟଣା ସହର ସମିତିର ସଭାପତି ରବୀନ୍ଦ୍ରଲାଲ ଯାଦବ ଓ ସମ୍ପାଦକ ସତ୍ୟନାରାୟଣ ବିଶି, ନର୍ଲା ବ୍ଲକ ସଭାପତି ଲିଙ୍ଗରାଜ କରୁଆଁ, ଲାଞ୍ଜିଗଡ଼ ବ୍ଲକ ସଭାପତି ରଘୁବୀର ନାଗ, ଜୁନାଗଡ଼ ବ୍ଲକର ପୂର୍ବତନ ସଭାପତି ଗୌରହରି ବାଗ, ଗୋଲାମୁଣ୍ଡା ବ୍ଲକ ସଭାପତି ରେବା କଟା, ଭବାନୀପାଟଣା ବ୍ଲକ ସମ୍ପାଦକ ରଥୁରାମ ବାଗ ଓ କୋଷାଧ୍ୟକ୍ଷ ମଳୟ ଗୌଡ଼, ଗୋଲାମୁଣ୍ଡା ଯୁବ ଯାଦବ ସଭାପତି ସତ୍ୟବନ୍ତ ବଗର୍ତ୍ତୀ ଓ ସମ୍ପାଦକ ରାଜେଶ ବଗର୍ତ୍ତୀ, ଜିତୁ ରାଉତ , ସୁରେଶ ଚନ୍ଦନ ଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳର ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ବହୁ ସଦସ୍ୟ ଉପସ୍ଥିତ ଥିଲେ।
ଜନସାଧାରଣଙ୍କ ଜୀବନ ଓ ସୁରକ୍ଷାଠାରୁ ଆରମ୍ଭ କରି ପଛୁଆ ବର୍ଗଙ୍କ ଅଧିକାର ଓ ଯୁବବର୍ଗଙ୍କ ନିଯୁକ୍ତି ସୁଯୋଗ ପର୍ଯ୍ୟନ୍ତ ବିଭିନ୍ନ ଜନସ୍ୱାର୍ଥ ପ୍ରସଙ୍ଗକୁ ନେଇ ମହାସଭାର ଏହି ଉଦ୍ୟମକୁ ସାମାଜିକ ନ୍ୟାୟ ଦିଗରେ ଏକ ସାଂଗଠନିକ ପଦକ୍ଷେପ ଭାବେ ଦେଖାଯାଉଛି। ଏହି ଦାବିଗୁଡ଼ିକ ଉପରେ ସରକାର ଓ ପ୍ରଶାସନ ଶୀଘ୍ର ଉଚିତ ପଦକ୍ଷେପ ନେବେ ବୋଲି ମହାସଭା ଆଶା ପ୍ରକାଶ କରିଛି।
