ଜାଲଦା ଗ୍ରାମରେ ୩୩ ବର୍ଷ ଧରି ପାଳିତ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା
_____________
ସାରସକଣା,(୨୭.୧୦.୨୬)(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଜାଲଦା ପଞ୍ଚାୟତର ଜାଲଦା ଗ୍ରାମରେ ଦୀର୍ଘ ୩୩ ବର୍ଷ ଧରି ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଆସୁଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ଏହି ପୂଜାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି । ପୂଜା କମିଟିର ସମସ୍ତ ସଦସ୍ୟଙ୍କ ଉଦ୍ୟମ ଓ ଗ୍ରାମବାସୀଙ୍କ ସହଯୋଗରେ ପୂଜା ଆୟୋଜନ କରାଯାଇଥିଲା। ରାତି ପ୍ରାୟ ୮ଟା ସମୟରେ ପୂଜକ ବିକାଶ କରଙ୍କ ପୌରୋହିତ୍ୟରେ ବାଜା ଓ ରୋଷଣି ସହ ମା’ ଗଜଲକ୍ଷ୍ମୀଙ୍କ ଘଟ ଅଣାଯାଇଥିଲା। ଏହାପରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଏହି ଅବସରରେ ଶତାଧିକ ଭକ୍ତ ପୂଜାସ୍ଥଳରେ ଉପସ୍ଥିତ ରହି ମା’ଙ୍କ ଦର୍ଶନ କରିଥିଲେ ।
ପରଦିନ ସକାଳ ପ୍ରାୟ ୧୦ଟା ସମୟରେ ଗ୍ରାମବାସୀ ଓ ପୂଜା କମିଟିର ସଦସ୍ୟମାନେ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ । ସନ୍ଧ୍ୟାରେ ଶତାଧିକ ଭକ୍ତ, ଗ୍ରାମବାସୀ ଓ ନିମନ୍ତ୍ରିତ ଅତିଥିଙ୍କ ଉପସ୍ଥିତିରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପୂଜା ମାଧ୍ୟମରେ ଗ୍ରାମରେ ଧାର୍ମିକ ଭାବନା ସହ ଭାଇଚାରା ଓ ସାମାଜିକ ଏକତାର ବାର୍ତ୍ତା ପ୍ରତିଫଳିତ ହୋଇଥିଲା। ମା’ ଗଜଲକ୍ଷ୍ମୀ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦିଅନ୍ତୁ ବୋଲି ଉପସ୍ଥିତ ଭକ୍ତମାନେ ପ୍ରାର୍ଥନା କରିଥିଲେ । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
